
କଳାହାଣ୍ଡି ପୋଲିସ୍ ଏକ ଡକାୟତି ଘଟଣାର ଫର୍ଦ୍ଧାଫାସ କରି ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷ ରୁ ଅଧିକ ଟଙ୍କା,ବାଇକ୍,ମୋବାଇଲ,ବିଭିନ୍ନ ମାରଣାସ୍ତ୍ର, ଜବତ କରାଯାଇଥିବା ଏସପି ଅଭିଳାଷ ଜି. ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ବଲାଙ୍ଗୀର ଜିଲ୍ଲା ସାଇଁତଲା ଥାନା ରେଙ୍ଗାଲି ଗ୍ରାମର ରାଜ୍ କିଶୋର ନାଗ ନିଜ ପାଖରେ କିଛି ସୁନା ଅଛି ଏହାକୁ କମ୍ ଦାମରେ କିଣିବା ପାଇଁ ପୁଇଁତଲାର ଗୁଣନିଧି ସାହୁଙ୍କୁ କହିଥିଲେ ।ଏହି ସମସ୍ତ ସୁନାକୁ ୧୩ ଲକ୍ଷ ୫ ହଜାରରେ କିଣିବା ପାଇଁ ଗୁଣନିଧି ରାଜି ହୋଇଥିଲେ । ସୁନା ନେଇ ଟଙ୍କା ଦେବାକୁ ଭବାନୀପାଟଣା ନିକଟରେ ନିର୍ମାଣାଧିନ ବାଇପାସ ରାସ୍ତାରେ ଜାଗା ସ୍ଥିର ହୋଇଥିଲା । ଗୁଣନିଧି ସେହି ସ୍ଥାନରେ ପହଞ୍ଚିବା ପରେ ଯୋଜନା ଅନୁଯାୟୀ ସୁନା ନଦେଇ ତାଙ୍କଠାରୁ ୧୩ ଲକ୍ଷ ୫ ହଜାର ଟଙ୍କା ଲୁଟ କରାଯାଇଥିଲା । ଏପରିକି ରାଜକିଶୋରର ସାଥୀମାନେ ସିଆରପିଏଫ୍ ପୋଲିସ ଡ୍ରେସରେ ମଧ୍ୟ ଗୁଣନିଧିଙ୍କୁ ଭୟଭୀତ କରିଥିଲେ । ଏନେଇ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ସଦର ପୋଲିସ ଏସଡିପିଓ ସୁନାରାମ୍ ହେମ୍ରମ୍ ଓ ଆଇଆଇସି ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ଟିମ୍ ଗଠନ କରି ବଲାଙ୍ଗୀର ଓ ଭବାନୀପାଟଣାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହି ଘଟଣାରେ ସଂପୃକ୍ତ ୧୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ସେମାନଙ୍କଠାରୁ ୫ ଲକ୍ଷ ୭୪ ହଜାର ୫୦୦ ଟଙ୍କା ,ସୁନା,ଗୋଟିଏ ବାଇକ୍,୧୪ ଟି ମୋବାଇଲ,୯ ଟି ରୁପା ଟଙ୍କା ,ଗୋଟିଏ ତମ୍ବା ଗଡୁ ସହ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି ।