କଟକ ଜିଲ୍ଲା ମାହାଙ୍ଗା ଥାନା ଭେଡା ଗାଁର ଏକ ଧାନବିଲ ପାଟ ଦେଇ ଯାଇଥିବା କେନାଲ ମଧ୍ୟରୁ ଗୁରୁବାର ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଭେଡା ଗାଁର ୬ ନମ୍ବର ୱାର୍ଡର ଅନୁପମା ମହାପାତ୍ର (୪୫ ) । ମୃତ ମହିଳାଙ୍କ ଶରୀର ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମିଳିଛି । ଖବର ପାଇ ମାହାଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି । ତେବେ ଅନୁପମା ବୁଧବାର ସନ୍ଧ୍ୟାରେ ଶୌଚ ପାଇଁ ନିଜ ବାସଗୃହ ପଛପଟ ବିଲକୁ ଯାଇଥିଲେ। ଏହି ସମୟରେ ଗାଁରେ ବିବାହ ଭୋଜି ସହ ସରସ୍ୱତୀ ଠାକୁର ଭସାଣି ଉତ୍ସବ ହେଉଥିଲା। ଭସାଣି ଯାତ୍ରାରେ ମାଇକ ବାଜୁଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅନୁପମାଙ୍କୁ ବିଲରୁ ଟେକିନେଇ ଗଣ ଦୁଷ୍କର୍ମ କରିବାସହ ପାଟ ମଝିରେ ଥିବା କେନାଲ ପଙ୍କରେ ମୁହଁକୁ ମାଡି ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ ପ୍ରକାଶ ପାଇଛି । ଏନେଇ ନେଇ ମୃତ ଅନ୍ନପୂର୍ଣ୍ଣାଙ୍କ ପିତା ଭରତପ୍ରସାଦ ଜେନା ଗଣମାଧ୍ୟମରେ ଅଭିଯୋଗ କରି କହିଛନ୍ତି କି ତାଙ୍କ ବିଧବା ଝିଅକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସୂଚନା ଯେ, ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀ ଗତ ତିନିବର୍ଷ ହେବ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତାଙ୍କର ଏକମାତ୍ର ପୁତ୍ର ଓ ପୁତ୍ର ବଧୂ ବାଙ୍ଗାଲୋରରେ ଚାକିରୀ କରି ସେଠାରେ ରହୁଥିବାରୁ ଅର୍ଣ୍ଣପୂର୍ଣା ଏକାକୀ ତାଙ୍କ ନୂତନ ଅର୍ଦ୍ଧ ନିର୍ମିତ ଗୃହରେ ରହିଆସୁଥିଲେ। ରାତ୍ରିରେ ତାଙ୍କ ପୁତୁରା ତାଙ୍କ ସହ ରହୁଥିଲେ । ବୁଧବାର ପୁତୁରା ସନ୍ଧ୍ୟାବେଳେ ତାଙ୍କ ଘରକୁ ଆସି ଘର ତାଲା ପଡିଥିବାରୁ ଫେରିଯାଇଥିବା କହିଛନ୍ତି । ଗୁରୁବାର ସକାଳୁ କିଛି ଗ୍ରାମବାସୀ ଶୌଚ ପାଇଁ କେନାଲକୁ ଯାଇଥିବାବେଳେ ଅନ୍ନପୂର୍ଣ୍ଣା ମରିପଡିଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ତାଙ୍କ ପରିବାର ଲୋକ ସେଠାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। କୁମୁଡା ଯଇପୁର ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ। ପୋଲିସ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
