ଆଜି ଠାରୁ ଜେଇଇ ମେନ ପରୀକ୍ଷା ଆରମ୍ଭ ହେଉଛି । ଏହି ପରୀକ୍ଷା ଦେଶର ୩୩୧ଟି ସହରରେ ହେଉଥିବା ବେଳେ ଏହା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ ଏନଟିଏ ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି । କମ୍ପ୍ୟୁର୍ଟ ବେସ୍ଡ ଟେଷ୍ଟ ବା ସିବିଟି ମାଧ୍ୟମରେ ଏହି ପରୀକ୍ଷା କରାଯାଉଛି । ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ । କରୋନା ଲାଗି ଚଳିତବର୍ଷ ୪ଟି ସେକ୍ସନ୍ରେ ପରୀକ୍ଷା ହେଉଛି । ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଫ୍ଟ ପରୀକ୍ଷା ହେବ । ପୂର୍ବାହ୍ନରେ ହେବାକୁ ଥିବା ପରୀକ୍ଷା ଲାଗି ପରୀକ୍ଷାର୍ଥୀ ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ଣ ସେକ୍ସନ ଲାଗି ଅପରାହ୍ଣ ୨ଟାରୁ ୨ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିପାରିବେ । ପରୀକ୍ଷା ଲାଗି ଏଥର ବି କଡ଼ା କଟକଣା ଲାଗୁ ହୋଇଛି । ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ସମେତ ଯେକୌଣସି ଫଟୋ ପରିଚୟପତ୍ର, ନିଜସ୍ୱ ପାଣି ବୋତଲ, ସାନିଟାଇଜର ଆଣିବାକୁ କୁହାଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି । ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୯ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେଉଛି ।
