
ମହାମାରୀ କରୋନା ସଂକ୍ରମଣ ସମୟରେ ମହାନଦୀ ଜଳ ବିବାଦର ଶୁଣାଣି ଉପରେ ରୋକ ଲଗାଇଛି। କରୋନା କଟକଣା ଯୋଗୁଁ ଗତ ଏପ୍ରିଲ୍ ମାସ ୧୦ ତାରିଖ ଦିନ ମହାନଦୀ ଟ୍ରିବ୍ୟୁନାଲ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ।
ବିବାଦ ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ଭିଡିଓ କନ୍ଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରିବା ପାଇଁ ଛତିଶଗଡ଼ ସରକାରଙ୍କୁ ପତ୍ର ଲେଖାଯାଇଛି।
ଟ୍ରିବ୍ୟୁନାଲଙ୍କ ପରାମର୍ଶ କ୍ରମେ ଅନ୍ତରୀଣ ବ୍ୟବସ୍ଥା ପାଇଁ ବିଚାରବିମର୍ଶ ପ୍ରକ୍ରିୟାକୁ ଖୁବ୍ଶୀଘ୍ର ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି।
ଅନ୍ତରୀଣ ବ୍ୟବସ୍ଥାକୁ ନେଇ ଦୁଇ ରାଜ୍ୟମଧ୍ୟରେ କୌଣସି ପ୍ରକାର ବିଚାରବିମର୍ଶ ହୋଇପାରି ନାହିଁ । ତେଣୁ ଅତିଶୀଘ୍ର ବୈଠକ କରିବା ପାଇଁ ଓଡ଼ିଶା ପକ୍ଷରୁ ଛତିଶଗଡ଼କୁ ଅନୁରୋଧ କରାଯାଇଥିବାର ଜଣାପଡ଼ିଛି।
ଉଭୟ ରାଜ୍ୟ ମଧ୍ୟରେ ବୁଝାମଣା ପାଇଁ ଅଧିକ ସମୟ ଲାଗିପାରେ ବୋଲି ପୂର୍ବରୁ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲକୁ ଅବଗତ କରାଯାଇଥିଲା। ତେବେ, ଓଡ଼ିଶା ପକ୍ଷରୁ ପୁଣିଥରେ ତତ୍ପରରତା ପ୍ରକାଶ ସହିତ ଆଲୋଚନାକୁ ତ୍ବରାନ୍ବିତ କରିବା ପାଇଁ ପତ୍ର ଲେଖାଯାଇଛି।
ମହାନଦୀ ଜଳବିବାଦ ମାମଲାରେ ସମ୍ପୃକ୍ତ ଥିବା ଓଡ଼ିଶା ଓ ଛତିଶଗ଼ଡ଼ର ବୈଷୟିକ ଟିମ୍ର ୩ ଜଣ ସଦସ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି।
ଓଡ଼ିଶାର ଅବସରପ୍ରାପ୍ତ ଇଞ୍ଜିନିୟର ୮୦ ବର୍ଷିୟ ସୁରେଶ ଚନ୍ଦ୍ରଙ୍କର କରୋନାରେ ମୃତ୍ୟୁ ହୋଇଥିଲା। ବୈଷୟିକ ଟିମ୍ର ଜଣେ ବରିଷ୍ଠ ସଦସ୍ୟ ରୂପେ ସେ ମହାନଦୀ ଜଳବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଉଥିଲେ। ସେହିଭଳି, ଛତିଶଗଡ଼ର ଦୁଇଜଣ ବୈଷୟିକ ଟିମ୍ର ସଦସ୍ୟଙ୍କର ମୃତ୍ୟୁ ହୋଇଛି ।ଟ୍ରିବୁନାଲରେ ଆଗାମୀ ଶୁଣାଣି ମେ ୮ ତାରିଖରେ ରହିଛି। ପୂର୍ବ ଶୁଣାଣି ରେ ଛତିଶଗଡ଼ରେ କଣ୍ଟେନମେଣ୍ଟ ଜୋନ ଥିବା ଦର୍ଶାଇ ଶୁଣାଣିକୁ ନେଇ ଟାଳି ଦିଆଯାଇଥିଲା। ଏଥର ଓଡ଼ିଶାର ଲକଡାଉନ ଥିବାରୁ ପୁଣିଥରେ ଶୁଣାଣିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

