ସମ୍ଭାବ୍ୟ ବାତ୍ୟା ୟଶ୍ ଦାନା ବାନ୍ଧୁଛି :  ବାଲେଶ୍ୱର ଓ ଦୀଘା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍

ସମ୍ଭାବ୍ୟ ବାତ୍ୟା ୟଶ୍ ଦାନା ବାନ୍ଧୁଛି : ବାଲେଶ୍ୱର ଓ ଦୀଘା ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ୍

ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟା ୟଶ୍ ଭୟ ଘାରିବାକୁ ଲାଗିଛି । ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରହିବା ଲାଗି ଘନ ଘନ ବୈଠକ ହେଉଛି ।

ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ (ଆଇଏନ୍‌ସିଓଆଇଏସ୍‌)ର ମଡେଲ ଅନୁଯାୟୀ, ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍‌’ ବାଲେଶ୍ୱର ଓ ଦୀଘା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ।

ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସକାଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି ।

ୟୁରୋପିଆନ୍ ସେଣ୍ଟର ଫର୍ ମିଡିଅମ୍ ରେଞ୍ଜ ୱେଦର ଫୋରକାଷ୍ଟ (ଇସିଏମ୍‌ଡବ୍ଲୁଏଫ୍‌) ମଧ୍ୟ ସାମ୍ଭାବ୍ୟ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ନେଇ ସୂଚନା ଦେଇଛି । ବାତ୍ୟା ୟଶ୍ ବାଲେଶ୍ୱର ଆଖପାଖରେ ସ୍ଥଳଭାଗ ଛୁଇଁପାରେ ବୋଲି ଇସିଏମ୍‌ଡବ୍ଲୁଏଫ୍ ପୂର୍ବାନୁମାନ କରିଛି ।

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟା ୟଶ୍ ନେଇ ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବାତ୍ୟାର ରୂପରେଖ ନେଇ ଅନିଶ୍ଚିତତା ରହିଥିଲେ ମଧ୍ୟ ବଙ୍ଗୋପସାଗର ଜଳପତନର ତାପମାତ୍ରା ଅଧିକ (୩୦-୩୧ ଡିଗ୍ରୀ ସେଲ୍‌ସିଅସ୍‌) ଥିବାରୁ ଏହା ଦ୍ରୁତ ଗତିରେ ଘନିଭୂତ ହେବ । ପାରଦୀପଠାରୁ ଦୀଘା ମଧ୍ୟରେ ବାୟୁମଣ୍ଡଳର ପରିସ୍ଥିତି ସ୍ଥଳଭାଗ ଛୁଇଁବା ପାଇଁ ଅନୁକୂଳ ରହିଛି । ସମ୍ଭାବ୍ୟ ଗତିପଥ ବିଶ୍ଳେଷଣରୁ ଜଣାପଡ଼ୁଛି ଯେ ବାତ୍ୟାର କେନ୍ଦ୍ରରେ ବାୟୁର ଚାପ ୯୮୦ ମିଲିବାର ପର୍ଯ୍ୟନ୍ତ ପହଞ୍ଚିପାରେ ।

ଆସନ୍ତା ୨୬ ତାରିଖ ଉପରବେଳା ସ୍ଥଳଭାଗ ଛୁଇଁଲା ବେଳକୁ ତା’ର ତିବ୍ରତା ପ୍ରାୟତଃ ସେତିକି ରହିବ ନଚେତ୍ କମିପାରେ । ଉପର ବାୟୁମଣ୍ଡଳରେ ବାୟୁର ଦିଗରୁ ଜଣାପଡ଼ୁଛି ଯେ ଏହାର ଦିଗ ପରିବର୍ତ୍ତନ ସମ୍ଭାବନା ନାହିଁ । ବାତ୍ୟା ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ସକ୍ରିୟତା ବାତ୍ୟାକୁ ସହଯୋଗ କରିବ ବୋଲି ସେ ଆକଳନ କରି କହିଛନ୍ତି । ସାଧାରଣତଃ ବାତ୍ୟାର ଦକ୍ଷିଣ ଭାଗ ଶକ୍ତିଶାଳୀ ହୋଇଥାଏ ।

ତେଣୁ ବାତ୍ୟା ଯଦିଓ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ ନକରି ଦୀଘା ଆଖପାଖରେ ଲ୍ୟାଣ୍ଡଫଲ୍ କରେ ତଥାପି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ମୟୂରଭଞ୍ଜ ପ୍ରଭୃତି ୫ ଜିଲ୍ଲାରେ ପବନର ବେଗ ୫୦ରୁ ଉପରେ ରହିବା ସମ୍ଭାବନା ଥିବାବେଳେ ପ୍ରବଳ ବର୍ଷା ହେବ ।

ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଖୋର୍ଦ୍ଧା, କଟକ, କେନ୍ଦୁଝର ଓ ଢେଙ୍କାନାଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ସମ୍ବଲପୁର, ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ । ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି ବାତ୍ୟା ଦିନ ଯଦି ପୂର୍ଣ୍ଣିମୀ ପଡ଼େ ତେବେ ସମୂଦ୍ର ଜୁଆର ଆହୁରି ଅଧିକ ଉପରକୁ ଉଠିବ ।

ତେଣୁ ଜଗତ୍‌ସିଂହପୁରରୁ ବାଲେଶ୍ୱର ଯାଏ ସମୂଦ୍ର ଅଗଭୀର ହୋଇଥିବାରୁ ତଳୁଆ ଉପକୂଳ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିବାର ମଧ୍ୟ ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *