
ସୁବର୍ଣ୍ଣପୁର ଜିଲ୍ଲା ନାରାୟଣପୁର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଅନ୍ଧ ବିଶ୍ୱାସର ଶିକାର ହୋଇ ମଲା ପୁଅ ପୁଣି ବଞ୍ଚିବା ଆଶାରେ ଦୀର୍ଘ ୩୦ ଘଣ୍ଟା ଧରି ଚାଲିଛି ପୁଜାର୍ଚ୍ଚନା ।
୨୪ ଘଣ୍ଟା ମଧ୍ୟରେ ମୃତ ଶିଶୁ ବଞ୍ôଚଯିବ କହି ଆଶା ଦେଇଛି ଗୁଣିଆ । ସୂଚନା ଅନୁସାରେ, ନାରାୟଣପୟର ଗାଁର ନବଘନ କର୍ମୀଙ୍କ ୧୦ ମାସର ଶିଶୁକୁ ଗୁରୁବାର ଦିନ ଝାଡ଼ା ବାନ୍ତି ହୋଇଥିଲା । ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ପ୍ରଥମେ ନାଏକେନପାଲି ଓ ପରେ ବୁର୍ଲା ବଡ଼ ମେଡିକାଲକୁ ନେଇଥିଲେ ।
ତେବେ ଗତକାଲି ସକାଳୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକ ଘରକୁ ଫେରି ଆସିଥିଲେ । ବାଟରେ ଆସିବା ବେଳେ ଗାଁ ନିକଟରେ ଥିବା ଏକ ଗୁଣିଆକୁ ଘଟଣା ବାବଦରେ କହିଥିଲେ ପରିବାର ଲୋକ ।
ତେବେ ଗୁଣିଆ ଜଣକ ତୋର ପୁଅର କିଛି ହୋଇନି ଏହା ଡାହାଣି କୋପରୁ ଏମିତି ହୋଇଛି ମୁଁ ତାକୁ ବଞ୍ଚାଇ ଦେବି ବୋଲି କହିଥିଲା । ପରେ ମୃତ ଶିଶୁକୁ ଧରି ବାରପାହାଡ ଜଙ୍ଗଲ ନିକଟରେ ଥିବା ଏକ ସ୍ଥାନକୁ ନେଇ ତାକୁ ହଳଦୀ ଓ ଅଳତା ଲଗାଇଦେଇ ଘରକୁ ପଠାଇଦେଇଥିଲା ଗୁଣିଆ ଜଣକ ।
କହିଥିଲା ଆସନ୍ତା କାଲି ସକାଳ ୭ ଟା ପର୍ଯ୍ୟନ୍ତ ତୋର ପୁଅ ବଞ୍ଚିଯିବ । ତେବେ ବଞ୍ଚିବା ଆଶା ନେଇ ପରିବାର ଲୋକ ମୃତ ଶିଶୁ ପୁତ୍ରକୁ ଧରି ଘରକୁ ଆସିଥିବାବେଳେ ରାତି ସାରା ଚେଇଁ ରହିଥିଲେ ।
ସକାଳ ପର୍ଯ୍ୟନ୍ତ ଶିଶୁଟି ଜୀବିତ ନହେବାରୁ ପୁଣି ମୃତ ଶିଶୁର ବାପା ସଂପୃକ୍ତ ଗୁଣିଆକୁ ଡାକିବାକୁ ଯାଇଥିଲେ । ହେଲେ ଗୁଣିଆ ଜଣକ ସେଠାରୁ ଫେରାର ମାରିଥିବା ସୂଚନା ପାଇଥିଲେ । ତେବେ ଏତିକିରେ ମଧ୍ୟ ମୃତ ଶିଶୁର ବାପା ମା’ଙ୍କ ମନ ବୁଝି ନଥିଲା ।
ସକାଳେ ପୁଣି ବୌଦ୍ଧ ଜିଲ୍ଲାର ଏକ ତାନ୍ତ୍ରିକ ପାଖକୁ ନେଇଥିବା ଜଣା ପଡିଛି । ତେବେ ଗୋଟିଏ ପଟେ ମଣିଷ ଚନ୍ଦ୍ର ପୃଷ୍ଟରେ ଜାଗା କିଣି ସାରିଥିବା ବେଳେ ଆଜି ଅନେକ ଲୋକ ଅଛନ୍ତି ଯେଉଁମାନେ ଅନ୍ଧ ବିଶ୍ୱାସକୁ ଜାବୁଡି ଧରିଛନ୍ତି । ଲୋକଙ୍କୁ ସଚେତନ କରାଇବାରେ ପ୍ରଶାସନ ମଧ୍ୟ ଫେଲ ମାରିଥିବା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।
ଏଥିପ୍ରତି ସରକାର ଦୃଷ୍ଟି ଦେବା ସହ ଲୋକଙ୍କୁ ସଚେତନ କରିବା ଜରୁରି ହୋଇପଡିଛି ।