
ବିଜେପି ଯୁବ ନେତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନୂଆସାହି ଅଞ୍ଚଳରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ମୃତ ଯୁବନେତାଙ୍କ ନାଁ ରଞ୍ଜିତ ପ୍ରଧାନ। ସେ ବିଜେପିର ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚାର ପ୍ରଭାରୀ ଥିଲେ।
ଗତକାଲି ବିଳମ୍ବିତ ରାତିରେ ରଞ୍ଜିତ ନୂଆସାହି ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ଶ୍ୱଶୁରଙ୍କ ଘର ସମ୍ମୁଖ ରାସ୍ତାରେ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ନେଉଥିବା ବେଳେ ଦୁଇଟି ବାଇକରେ ଚାରି ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ।
ଇଣ୍ଡିକେଟର ନ ଦେଇ କାହିଁକି ସାଇଡ୍ ମାରିଲ ବୋଲି କହି ସେମାନେ ରଞ୍ଜିତଙ୍କୁ କାର ଭିତରୁ ଟାଣି ନେଇ ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ପାଟିତୁଣ୍ଡ ଶୁଣି ରଞ୍ଜିତଙ୍କ ଶ୍ୱଶୁର ଘର ଲୋକେ ସେଠାରେ ପହଞ୍ଚିଲା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ।
ରଞ୍ଜିତ ଚେତାଶୂନ୍ୟ ହୋଇଯାଇଥିବା ବେଳେ ଶ୍ୱଶୁର ଘର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣାରେ କପ୍ତିପଦା ପୋଲିସ୍ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।