
ସମଗ୍ର ରାଜ୍ୟରେ କରୋନା କଟକଣା ମଧ୍ୟରେ ଚାଲିଛି ପବିତ୍ର ସାବିତ୍ରୀ ବ୍ରତ ‘ବିବାହିତ ମହିଳାମାନେ ସ୍ୱାମୀଙ୍କ ପାଇଁ ଦୀର୍ଘ ଜୀବନ କାମନା କରି ଦେବାଦେବୀଙ୍କ ପାଖରେ ପ୍ରାର୍ଥନା କରନ୍ତି ଏବଂ ଉପବାସ କରନ୍ତି,ତେବେ କରୋନାର ଦ୍ୱିତୀୟ ଲହର ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ମହିଳା ମାନେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ଆଜି ଏହି ଅବସରରେ ଭୁବନେଶ୍ୱରରେ ଏକ ନୁତନ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।
ସୁନ୍ଦର ଶାଢିମାନ ପରିଧାନ କରି ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର କିଛି ସଦସ୍ୟ କରୋନା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରି ରାଜଧାନୀରେ ଏହି ପବିତ୍ର ପର୍ବ ପାଳନ କରିଛନ୍ତି। ତେବେ ସେମାନେ ଏହି ପର୍ବ ପାଳନ କରିବା ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନକୁ ଅନୁମତି ଆଣିଥିଲେ।
ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ଦ୍ୱାରା ପାଳନ କରାଯାଉଥିବା ଏହି ପର୍ବ ସାଧାରଣଠାରୁ ଭିନ୍ନ ଅଟେ। ବିଶିଷ୍ଟ ସାମାଜିକ କର୍ମୀ ମେଘନା କହିଛନ୍ତି, “ଏହି ପ୍ରଥା ସାରା ଦେଶରେ ପାଳନ କରାଯାଏ। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟର ସଦସ୍ୟମାନେ ‘ସାବିତ୍ରୀ ବ୍ରତ’ ପାଳନ କରନ୍ତି ଏବଂ ସେମାନଙ୍କର ଗୁରୁମାନଙ୍କୁ ପୂଜା କରନ୍ତି । ଆମେ ଆମର ଗୁରୁମାନଙ୍କୁ ଆମର ସ୍ୱାମୀ ଭାବରେ ବିବେଚନା କରୁ ଏବଂ ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ଦେବୀଙ୍କୁ ପ୍ରାର୍ଥନା କରୁଛୁ। “
“ବର୍ତ୍ତମାନ ଦିନେ କିନ୍ନରମାନେ ମଧ୍ୟ ବିବାହ କରୁଛନ୍ତି ଏବଂ ନିଜ ସ୍ୱାମୀଙ୍କ ସହ ରହୁଛନ୍ତି। ବିବାହିତ କିନ୍ନରମାନେ ବ୍ରତ ପାଳନ କରୁଛନ୍ତି ଏବଂ ସେମାନଙ୍କ ସ୍ୱାମୀଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି ବୋଲି ସେ କହିଛନ୍ତି।