କଣ୍ଠଶିଳ୍ପୀ ତପୁମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର:  ଆର୍ଥିକ ସହାୟତା ଲାଗି  ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ-

କଣ୍ଠଶିଳ୍ପୀ ତପୁମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର: ଆର୍ଥିକ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ-

ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ତପୁମିଶ୍ର କରୋନାରେ ସଂକ୍ରମିତ ହେବା ପରେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଫୁସଫୁସଜନିତ ସମସ୍ୟା ପାଇଁ ଚିକିତ୍ସା ଲାଗି ଅନେକ ଟଙ୍କା ଖର୍ଚ୍ଚ ହେଉଥିବାରୁ ପରିବାର ତରଫରୁ ଆର୍ଥିକ ସହାୟତାର ଲୋଡାଯାଇଛି । ସେପଟେ ତାଙ୍କ ଭଉଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କିଛି ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ।

ଦୀର୍ଘ ୨୭ ଦିନ ହେଲା ହସ୍ପିଟାଲରେ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସୁନି ଶରୀରରୁ ଅମ୍ଳଜାନ କମିଯାଉଛି ଯାହାକି ତାଙ୍କୁ ଗୁରୁତର କରୁଛି ।

ସୂଚନାଯୋଗ୍ୟ, ସେ ଗତ ମେ’ ୨୦ ତାରିଖରେ ସେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା‌ରେ ସୁଧାର ନ ଆସିବାରୁ ତାଙ୍କୁ ସମ୍‌ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସିତ ହେବା ପରେ ‌କରୋନାରୁ ମୁକ୍ତ ହୋଇଥିଲେ ଓ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

କିନ୍ତୁ କରୋନା ଯୋଗୁଁ ତାଙ୍କ ଫୁସ୍‌ଫୁସ୍‌ର ୭୫ ପ୍ରତିଶତ ସଂକ୍ରମିତ ହୋଇସାରିଛି। ଏବେ ତାଙ୍କୁ ସମ୍‌ ପ୍ରାଇଭେଟ୍‌ ଆଇସିୟୁରେ ଭର୍ତ୍ତି କରାଯାଇଛି। ଶରୀରରେ ଅମ୍ଳଜାନ ସ୍ତର ବାରମ୍ବାର ଉପର ତଳ ହେଉଥିବା ବେଳେ ଅବସ୍ଥା ସଂକଟାପନ୍ନ ହେବାରେ ଲାଗିଛି। ୧୦୦% ଅକ୍ସିଜେନ ସପୋର୍ଟରେ ରହିଥିଲେ ସୁଦ୍ଧା ତାଙ୍କ ଶରୀରରେ ଅମ୍ଲଜାନସ୍ତର ତଳକୁ ଖସୁଛି। ତେଣୁ ଡାକ୍ତରମାନେ ଏକ୍‌ମୋ ମେସିନ୍‌ ଲଗାଇବାକୁ ପରାମର୍ଶ ଦେଇପାରନ୍ତି ବୋଲି ତପୁଙ୍କ ବଡ଼ ଭଉଣୀ ଧ୍ରୁତିଦୀପା କହିଛନ୍ତି।

ଧ୍ରୁତିଦୀପା କହିଛନ୍ତି, କରୋନା କାଳ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥିବା ବେଳେ ଗତ କିଛି ଦିନ ହେଲା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସହୃଦୟତା ସାରା ଦେଶ ଦେଖିଛି। ଅମ୍ରିତ ଓ ଅଭିଷେକଙ୍କ ଭଳି ଅନେକ ରୋଗୀ ଏକ୍‌ମୋ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଛନ୍ତି ଓ ସାରା ଓଡ଼ିଶା ଏଥିପାଇଁ ମାନସିକ ଓ ଆର୍ଥିକ ସମର୍ଥନ ଯୋଗାଇ ଦେଇଛି । ତପୁ ମିଶ୍ର ଓଡ଼ିଶାର ଜଣେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ। ତାଙ୍କୁ ସାହାଯ୍ୟ ପାଇଁ ଓଡ଼ିଶାବାସୀ ଆଗେଇ ଆସିବେ ବୋଲି ସେ ବିଶ୍ବାସ ରଖିଛନ୍ତି । ତପୁଙ୍କର ଏବେ ଲମ୍ବା ସମୟ ଧରି ଚିକିତ୍ସା ଚାଲିବ ଓ ଆବଶ୍ୟକ ପଡ଼ିଲେ ଏକ୍‌ମୋ ଚିକିତ୍ସା ତଥା ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ବି ଡାକ୍ତର କହିପାରନ୍ତି ।

ସେଥିଲାଗି ଖୁବ୍‌ଶୀଘ୍ର ‘ମିଲାପ୍‌’ ଜରିଆରେ ତପୁଙ୍କ ପାଇଁ ଫଣ୍ଡ ରେଜ୍‌ ଆରମ୍ଭ କରିବୁ ବୋଲି ତାଙ୍କ ଭଉଣୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଅନୁରୋଧ କରିଛନ୍ତି ଯେ ଏକ ଅଭିଜ୍ଞ ଡାକ୍ତରୀଦଳଙ୍କୁ ତପୁଙ୍କ ଚିକିତ୍ସା ପାଇଁ ନିୟୋଜିତ କରାଯାଉ । ସମ୍‌ର ଡାକ୍ତରମାନେ ତପୁଙ୍କୁ ବଞ୍ଚାଇବାକୁ ଚେଷ୍ଟା ଚଳାଇଥିବା ବେଳେ ଏକ ବୈଷୟିକ ଟିମ୍‌ର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାର ଏ ନେଇ ସହୃଦୟତା ପ୍ରକାଶ କରିବେ ବୋଲି ତାଙ୍କ ଭଉଣୀ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *