
ମମିତା ମୃତ୍ୟୁ ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ପହଁଞ୍ଚିଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି । ଏହି ଜନସ୍ୱାର୍ଥରେ ପିଡିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୁରଣ ଏବଂ ସିବିଆଇ ତଦନ୍ତ ଦାବି କରାଯାଇଛି । ଏହି ମାମଲାରେ ରାଜ୍ୟସରକାର ଏବଂ କେନ୍ଦ୍ର ସରକାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।
ସେପଟେ ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଆଜି ମହାଲିଙ୍ଗରେ ପହଁଞ୍ଚିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସ୍ପି । କଳାହାଣ୍ଡି ଗସ୍ତ କରି ଉଭୟେ ଷ୍ଟାଡିୟମ ପରିଷରରେ ତଦନ୍ତ କରିଛନ୍ତି । ମିଳିଥିବା ସୂଚନା ମୁତାବକ ପୋଲିସ ଏବେ ବିଭିନ୍ନ ଦିରୁ ସାଇଣ୍ଟିଫିକ ତଦନ୍ତ ଉପରେ ଗୁରୁତ୍ୱ ଦେଉଛି । ଏହି ସମରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି । ତେବେ ଏହି ମାମଲାରେ ଏବେ ବିରୋଧୀ କଂଗ୍ରେସ ଏବଂ ବିଜେପି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀପଦରୁ ବହିସ୍କାର ଏବଂ ଗିରଫ ଦାବି ଜୋର କରିଛନ୍ତି ।
ମମିତା ମୃତ୍ୟୁ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁକୁ ଗିରଫ କରି ସାରିଛି । କୋର୍ଟରେ ହାଜିର ହେବା ପରେ ତାଙ୍କୁ ୫ ଦିନ ରିମାଣ୍ଡରରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ସେହିପରି ପୋଲିସ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଥାନାରେ ଆଣି ଅଟକ ରଖାଯାଇଛି । ସୂଚନା ମୁତାବକ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇପାରେ ।