
ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସଜ୍ମା ଗାଁରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ହଷ୍ଟେଲ ଭିତରେ ପଙ୍ଖାରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତା ଛାତ୍ରୀ ଜଣକ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ଅନ୍ତର୍ଗତ ଦହିତା ଗ୍ରାମର ଆଶା ମେହେର (୧୭)। ଖବର ପାଇବା ପରେ ସାଇଣ୍ଟିଫିକ୍ ଟିମ୍ ଓ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଆତ୍ମହତ୍ୟା ଖବର ପାଇ ମୃତା ଛାତ୍ରୀଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଆସିଥିଲେ । ଏନେଇ ଏସ୍ଡିପିଓ ତୋଫାନ୍ ବାଗଙ୍କୁ ପଚରାଯିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ଓ ସେନେଇ ତଦନ୍ତ ଚାଲିଛି ବୋଲି କହିଛନ୍ତି । ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ପଠାଯାଇଛି । ଲୋଇସିଂହା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।