‘ସୋମବାରରୁ ସତ୍ୟଯୁଗ ଆରମ୍ଭ, ପୁଣି ଜୀବିତ ହୋଇଯିବେ’

‘ସୋମବାରରୁ ସତ୍ୟଯୁଗ ଆରମ୍ଭ, ପୁଣି ଜୀବିତ ହୋଇଯିବେ’

ହାଇଦ୍ରାବାଦ ୨୫/୦୧: ଏବେ ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ମଣିଷ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ପଛୁଆ ଅଞ୍ଚଳର ଲୋକେ ଅନ୍ଧବିଶ୍ବାସକୁ ଜାବୁଡ଼ି ଧରିଛନ୍ତି। ଉଚ୍ଚଶିକ୍ଷିତ ଲୋକେ ବିଶ୍ବାସ, ଅବିଶ୍ବାସ ଓ ଅନ୍ଧବିଶ୍ବାସ ମଧ୍ୟରେ ଫରକ ଭଲ ଭାବେ ଜାଣିଛନ୍ତି ବୋଲି ଆମ ମନରେ ଧାରଣା ରହିଛି। କିନ୍ତୁ ଆନ୍ଧ୍ରପ୍ରଦେଶରେ ଘଟିଥିବା ଏକ ଛାତିଥରା ଘଟଣା ସମସ୍ତଙ୍କ ବିଶ୍ବାସକୁ ଚୂରମାର କରିଦେବ। ଉଚ୍ଚଶିକ୍ଷିତ ଦମ୍ପତି ନିଜର ଦୁଇ ବଢ଼ିଲା ଝିଅଙ୍କୁ ହତ୍ୟା କରି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଏହାର ଅର୍ଥ ସକାଳ ହେଲେ ସତ୍ୟଯୁଗ ଆସିବ ଆଉ ସୁରୁଜ ଉଇଁଲେ ଝିଅମାନେ ଜୀବନ ପାଇବେ, ଏହି ବିଶ୍ବାସ ନେଇ ଶବ ପାଖରେ ଜଗି ବସିଥିଲେ ପ୍ରିନ୍ସିପାଲ୍‌ ଦମ୍ପତି।

ଏହି ଘଟଣା ଚିତୁର ଜିଲ୍ଲାର ମଦନପାଲେ ଅଞ୍ଚଳରେ ଘଟିଛି। ନିଜ ଦୁଇ ଝିଅର ଜୀବନ ନେଇଗଲେ ବାପା-ମା। ବାପା-ମା ଦୁଇ ଜଣ ଉଚ୍ଚଶିଖିତ ହୋଇଥିବା ବେଳେ ସେମାନେ ଦୁଇ ଜଣ ପ୍ରିନ୍ସିପାଲ ଭାବେ କାର୍ଯ୍ୟରତ। ମୃତ ଦୁଇ ଝିଅଙ୍କ ନାଁ ଅଲେଖ୍ୟା (୨୭) ଏବଂ ସାଇ ଦିବ୍ୟା (୨୨)। ଏହି ପରିବାର ମଦନପାଲେର ଶିବାଳୟମ ଟେମ୍ପଲ ଷ୍ଟ୍ରିଟ୍‌ରେ ରହୁଥିଲା। ଅଭିଯୋଗ ଅନୁସାରେ ଅଭିଯୁକ୍ତ ମା’ ଦୁଇ ଝିଅଙ୍କୁ ଡମ୍ବଲରେ ଛେଚି ହତ୍ୟା କରିଛି।

ମା ପଦ୍ମଜା ଓ ବାପା ପୁରୁଷୋତ୍ତମ ଦୁଇ ଜଣ ପ୍ରିନ୍ସିପାଲ୍‌ । ବଡ଼ ଝିଅ ଅଲେଖ୍ୟା ଭୋପାଳରେ ପିଜି କରିଛନ୍ତି। ସାନ ଝିଅ ସାଇ ଦିବ୍ୟା ବିବିଏ କରିସାରିବା ପରେ ମୁମ୍ବାଇରେ ଏଆର ରହମାନ ମ୍ୟୁଜିକ୍‌ ସ୍କୁଲ୍‌ରେ ପଢ଼ୁଥିଲେ। ଲକ୍‌ଡାଉନ୍‌ ସମୟରେ ଘରକୁ ଆସିଥିଲେ। ତେବେ କୋଭିଡ ୧୯ର ଲକ୍‌ଡାଉନ୍‌ ସମୟରେ ପରିବାର ସଦସ୍ୟଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିବା ପୋଲିସ କହିଛି। ରବିବାର ଦିନ ଘର ଭିତରୁ ଚିତ୍କାର ଶୁଣି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଦମ୍ପତି ସେମାନଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇନଥିଲେ। କିନ୍ତୁ ପୋଲିସ ବରଳପୂର୍ବକ ଘର ଭିତରକୁ ପଶି ଯାହା ଦେଖିଲା ବିଶ୍ବାସ କରିପାରିଲା ନାହିଁ। ଗୋଟିଏ ଝିଅର ଶବ ଠାକୁର ଘରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଝିଅର ମୃତଦେହ ଆଉ ଏକ ଘରେ ପଡ଼ିଥିଲା। ଦୁଇଟି ଶବକୁ ଲାଲ କପଡ଼ାରେ ଘୋଡ଼ାଯାଇଥିଲା।

ଦୁଇ ଅଭିଯୁକ୍ତ ହତ୍ୟା କରିଥିବା ବେଳେ ତାଙ୍କ ମୁହଁରୁ ଟିକିଏ ବି ସଂକୋଚ ଭାବ ଦେଖିବାକୁ ପାଇନଥିଲା ପୋଲିସ। ପୋଲିସ ସେମାନଙ୍କୁ ପଚରା ଉଚରା କରିବା ପରେ ସେମାନେ କହିଥିଲେ ଆଜି (ରବିବାର) କଳିଯୁଗ ଶେଷ ହେଉଛି। ଆସନ୍ତାକାଲି (ସୋମାବାର) ସତ୍ୟଯୁଗ ଆରମ୍ଭ ହେବ। ସୂର୍ଯ୍ୟ ଉଦୟ ହେଲେ ଦୁଇ ଝିଅ ଜୀବନ ପାଇଯିବେ ବୋଲି ଅଭିଯୁକ୍ତ ଦମ୍ପତି ପୋଲିସକୁ କହିଛନ୍ତି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଦୁଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

Leave a Reply

Your email address will not be published. Required fields are marked *