
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ଶେଷ ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଏନେଇ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଖରାଛୁଟି ଶେଷ ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ। ଠିକଣା ଢଙ୍ଗରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିୟମାବଳୀ ଦିଆଯାଇଛି। ଶତ ପ୍ରତିଶତ ପାଠ୍ୟଖସଡ଼ା ସାରିବା ଦିଗରେ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ପାଠ୍ୟକ୍ରମ, ପାଠ ପଢା ସମୟ ସମ୍ବନ୍ଧରେ ଆଲୋଚନା କରିବେ। କିଭଳି ଭାବେ ସଠିକ୍ ଭାବେ ବିଦ୍ୟାର୍ଥୀ ଶିକ୍ଷା ପାଇବେ ସେ ଦିଗରେ ଯୋଜନା ପ୍ରସ୍ତୁତ କରିବେ। କରୋନା କାଳରେ କ୍ଷତି ଭରଣା ପାଇଁ ପ୍ରସ୍ତୁତ ହୋଇଥିବା ପୁସ୍ତକ ସହ ପାଠ୍ୟକ୍ରମର ପୁସ୍ତକ ପଠାଯିବ। ସବୁ ବିଦ୍ୟାର୍ଥୀ ଯେଭଳି ଦୁଇ ପ୍ରକାର ପୁସ୍ତକ ପାଇବେ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶ୍ରେଣୀ ଓ ବିଷୟ ଭିତ୍ତିକ ପାଠପଢା ସମୟ ସାରଣୀ ପ୍ରତି ଶ୍ରେଣୀ ଗୃହରେ ବିଦ୍ୟାର୍ଥୀଙ୍କ ପାଇଁ ଲଗାଯିବ। ଛାତ୍ରଛାତ୍ରୀଙ୍କ ଦକ୍ଷତା ଯାଞ୍ଚ ପରେ ଖରାପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯିବ। ସେମାନଙ୍କୁ ପୃଥକ ଭାବେ ଅତିରିକ୍ତ ପାଠ ପଢାଯିବା ସହ ନିୟମିତ ପାଠ ମଧ୍ୟ ପ୍ରଦାନ କରାଯିବ। ସେହିପରି ଶିକ୍ଷକମାନେ ପାଠପଢାରେ ହୋଇଥିବା କ୍ଷତି ଭରଣା ପାଇଁ ସ୍ବତନ୍ତ୍ର ଯୋଜନା କରିବେ। ସିଆରସିସି ମାନେ ନିଜ କ୍ଲଷ୍ଟରରେ ପାଠପଢା ଉପରେ ତୀକ୍ଷଣ ନଜର ରଖିବା ସହ ରୀତିମତ ଯାଞ୍ଚ କରିବେ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରାଥମିକତା ଦେବେ। ବିଦ୍ୟାର୍ଥୀଙ୍କ ଉପଯୋଗୀ ପରିବେଶ ବିଦ୍ୟାଳୟରେ ସୃଷ୍ଟି କରାଯିବ। ଶିକ୍ଷକଶିକ୍ଷୟିତ୍ରୀ ଠିକ୍ ଭାବେ ପଢାଉଛନ୍ତି କି ନାହିଁ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ଶିକ୍ଷକଙ୍କ ପାଠପଢା ତଥ୍ୟ ବିଦ୍ୟାଳୟରେ ସ୍ବତନ୍ତ୍ର ରେଜିଷ୍ଟରରେ ଉଲ୍ଲେଖ ରହିବ। ପ୍ରତି ପାଠ୍ୟକ୍ରମର ବିଷୟଗତ ନୋଟ ପିଲାଙ୍କ ପ୍ରଦାନ ପୂର୍ବରୁ ପ୍ରଧାନଶିକ୍ଷକ ତାକୁ ଯାଞ୍ଚ କରିବେ। ଏଦିଗରେ ପଦକ୍ଷେପ ନେବାକୁ ସବୁ ଡିଇଓ ଓ ଡିପିସିଙ୍କୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

