
ବଦଳିବ ରାଷ୍ଟ୍ରପତି ଭବନ ଖାଦ୍ୟ ତାଲିକା । ମେନ୍ୟୁରେ ସାମିଲ ହୋଇପାରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ । ଏହା ସହ ଆଦିବାସୀ ବ୍ୟଞ୍ଜନ ସାମିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ପୂର୍ଣ୍ଣ ନିରାମିଷାଶୀ । ଏପରିକି ସେ ପିଆଜ କିମ୍ବା ରସୁଣ ମଧ୍ୟ ଖାଆନ୍ତି ନାହିଁ । ତେଣୁ ରାଷ୍ଟ୍ରପତି ଭବନର ମେନ୍ୟୁରେ ଜଳଖିଆ, ଦ୍ୱିପହର ଓ ରାତିରେ ମେନ୍ୟୁ କ’ଣ ହେବ ସେନେଇ ଚର୍ଚ୍ଚା ହେଉଛି । ଖାସ୍ କରି ଓଡ଼ିଶା ଖାଦ୍ୟ ସ୍ଥାନ ପାଇବା ନେଇ ଚର୍ଚ୍ଚା ହେଉଛି । ଦେଶରେ ପାଖାପାଖି ୫୮୦ ଆଦିବାସୀ ଗୋଷ୍ଠୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱତନ୍ତ୍ର ଖାଇବା ଷ୍ଟାଇଲ ରହିଛି । ସେମାନଙ୍କ ବ୍ୟଞ୍ଜନକୁ ବିଶେଷ ସ୍ୱୀକୃତି ମିଳିନାହିଁ । କେନ୍ଦ୍ର ଆଦିବାସୀ ମନ୍ତ୍ରାଳୟ ଦ୍ୱାରା ପ୍ରତି ବର୍ଷ ଆୟୋଜନ କରାଯାଉଥିବା ମହୋତ୍ସବରେ ବ୍ୟଞ୍ଜନ ଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି । ରାଷ୍ଟ୍ରପତି ଭବନରେ ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ଆଟ୍ ହୋମ୍ ବନ୍ଧୁମିଳନର ଆୟୋଜନ କରାଯାଇଥାଏ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥାଏ । ରାଷ୍ଟ୍ରପତି ଭବନ ମେନ୍ୟୁରେ ଓଡ଼ିଶାର କୌଣସି ଆଇଟମ୍ ନଥିବାରୁ ଏଥିରେ ଓଡ଼ିଆ ଖାଦ୍ୟକୁ ସାମିଲ କରାଯାଇପାରେ ।