୨୭ ବର୍ଷ ପରେ ୟୁଏଇରେ ବାଦଲଫଟା ବର୍ଷା ବୁଡ଼ିଲା ଘରଦ୍ୱାର, ରାସ୍ତାରେ ଭାସୁଛି ଯାନବାହାନ

୨୭ ବର୍ଷ ପରେ ୟୁଏଇରେ ବାଦଲଫଟା ବର୍ଷା ବୁଡ଼ିଲା ଘରଦ୍ୱାର, ରାସ୍ତାରେ ଭାସୁଛି ଯାନବାହାନ

ୟୁଏଇର ପୂର୍ବ ଭାଗରେ ପ୍ରବଳ ବର୍ଷା ଯୋଗୁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା କାରଣରୁ ଅନେକ ଘରଦ୍ୱାର ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଛି। କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଯାନବାହନ ପାଣି ଭିତରେ ଫସି ରହିଛି। ଲୋକମାନଙ୍କୁ ସେମାନଙ୍କ ଘରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି। ୟୁଏଇରେ ଗତ ବୁଧବାର ବର୍ଷା ଆରମ୍ଭ ହୋଇ ଗୁରୁବାର ପର୍ଯ୍ୟନ୍ତ ଜାରି ରହିଥିଲା। ଦୁଇଦିନ ଧରି ଲଗାଣ ବର୍ଷା ପରେ ପୂର୍ବ ଭାଗର ଅନେକ ଅଞ୍ଚଳରେ ବନ୍ୟା ପାଣି ମାଡ଼ି ଆସିଛି, ଯାହାକି ସେଠାରେ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ବନ୍ୟାରେ ବିଶେଷ କରି ଶାରଜାହ, ରାସ ଅଲ ଖୌମାହ ଓ ଫୁଜୈରାହ ଭଳି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି। ରାସ ଅଲ ଖୌମାହର ଅନେକ ଉପତ୍ୟକା ଏବଂ ବନ୍ଧ ପ୍ରଭାବିତ ହୋଇଛି। ଶାରଜାହ ପୋଲିସ ସ୍ଥାନୀୟ ଲୋକଙ୍କୁ ପୂର୍ବ ଅଞ୍ଚଳକୁ ନ ଯିବାକୁ ପରାମର୍ଶ ଦେଇଛି। ନ୍ୟାସନାଲ ସେଣ୍ଟର ଫର୍‌ ମେଟେରୋଲୋଜି (NCM) କିଛି ଅଞ୍ଚଳ ପାଇଁ ରେର୍ଡ ଆଲର୍ଟ ଜାରି କରିଛି। NCMର କହିବା ହେଲା, ୟୁଏଇରେ ୨୭ ବର୍ଷ ପରେ ଏହି ପ୍ରକାରର ବାଦଲଫଟା ବର୍ଷା ହୋଇଛି। ଏମିତି ସ୍ଥିତିରେ ପୋଲିସ ଲୋକଙ୍କୁ ସୁରକ୍ଷା ନିର୍ଦ୍ଦେଶ ପାଳନ କରିବାକୁ କହିଛି। ଲୋକମାନଙ୍କୁ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଛି। ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛି। ପ୍ରଶାସନ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଆଲର୍ଟରେ ରଖିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଘରୋଇ ଓ ସଂଘୀୟ କର୍ମଚାରୀମାନଙ୍କୁ ଗୁରୁବାର ଏବଂ ଶୁକ୍ରବାର ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *