
ଏ ପୁରସ୍କାର ମୋର ନୁହେଁ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର”। ଦିଲ୍ଲୀରୁ ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଭୁବନେଶ୍ୱର ଫେରିବା ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରିୟ ନେତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ ଜମିଥିଲା ବିଜେଡି ନେତା, ବିଧାୟକ, ସାଂସଦ, ମନ୍ତ୍ରୀ ଓ କର୍ମୀଙ୍କ ପ୍ରବଳ ଭିଡ଼। ଲୋକାରଣ୍ୟ ହୋଇଉଠିଥିଲା ବିମାନବନ୍ଦର ଅଞ୍ଚଳ। ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ବାହାରିବା ପରେ ଜୟ ନବୀନ ଧ୍ୱନିରେ କମ୍ପିଉଠିଥିଲା ଚାରିଆଡ଼ ।ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ବହୁ ବିଜେଡି ନେତା, କର୍ମୀ ରାଜଧାନୀକୁ ଛୁଟି ଆସିଥିଲେ । ଏୟାରପୋର୍ଟରୁ ନବୀନ ନିବାସ ଯାଏ ଜନସମୁଦ୍ର ପାଲଟିଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ନିଜ ପ୍ରିୟ ନେତାଙ୍କୁ ଶୁଭେଚ୍ଛା ଜଣାଇବା ଓ ଝଲକ ପାଇଁ ଅପେକ୍ଷା କରିଥିଲେ ହଜାର ହଜାର ଜନସାଧାରଣ । ମୁଖ୍ୟମନ୍ତ୍ରୀ ବସ୍ରୁ ବାହାରି ହାତ ହଲାଇ ଧନ୍ୟବାଦ ଜଣାଇଥିଲେ । ଏହାସହ ସମସ୍ତଙ୍କୁ ଭଲ କାମ କରିବାକୁ ପରାମର୍ଶ ଦେଇଛନ୍ତି। ୨୫ ବର୍ଷ ହେଲା ଓଡ଼ିଶାବାସୀଙ୍କ ସେବା କରୁଥିବା ମହାନାୟକଙ୍କ ଭବ୍ୟ ସ୍ୱାଗତ ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ ନବୀନ ନିବାସ ସଜେଇ ହୋଇଥିଲା। ନୃତ୍ୟ, ଗୀତ ଓ ପାରମ୍ପରିକ ବାଦ୍ୟରେ ନବୀନଙ୍କୁ ସ୍ୱାଗତ କରାଯାଇଥିଲା। ଗୋଟିପୁଅ ନାଚ, ଯୋଡ଼ିଶଙ୍ଖ, ଢେମସା, ସମ୍ବଲପୁରୀ, ଘୁମୁରା ନୃତ୍ୟ ପରିବେଷଣରେ ତାଙ୍କୁ ପାଛୋଟି ନେଇଥିଲେ। ଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜି ନବୀନଙ୍କୁ ସ୍ୱାଗତ ପାଇଁ ପ୍ରବଳ ଭିଡ଼ ଜମିଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।