
ସମାଜବାଦୀ ପାର୍ଟିର ନାୟକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ସୈଫଇ ଗାଁରେ ଶେଷ ହୋଇଛି। ମୁଲାୟମଙ୍କୁ ମୁଖାଗ୍ନି ଦେଲେ ପୁଅ ଅଖିଳେଶ ଯାଦବ। ମୁଲାୟମଙ୍କ ଅନ୍ତିମ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସମର୍ଥକଙ୍କ ଭିଡ ଜମିଥିଲା। କେବଳ ସମର୍ଥକ ନୁହେଁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲେ। ଇଟାଓ୍ଵାର ସୈଫଇ ମେଳା ପଡିଆରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଅପରାହ୍ଣ ୩ଟାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମୁଲାୟମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମୁଲାୟମଙ୍କ ପୈତୃକ ଗାଁକୁ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ୮୨ ବର୍ଷ ବୟସରେ ମୁଲାୟମ ସିଂ ଯାଦବଙ୍କର ପରଲୋକ ହୋଇଥିଲା । ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । କିଛିଦିନ ହେବ ସେ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଅକ୍ସିଜେନ ଲେବଲ କମିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ସିଂ ଯାଦବଙ୍କୁ ୟୁରିନ୍ ସଂକ୍ରମଣ, ବ୍ଲଡ ପ୍ରେସରର ସମସ୍ୟା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା, ଯାହାଫଳରେ ତାଙ୍କୁ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ଥିଲା ।