
ବେଲଗୁଣ୍ଠାରେ ଐତିହାସିକ ଠାକୁରାଣୀ ଯାତ୍ରା ଚାଲିଥିବା ବେଳେ ବର୍ତମାନ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।ଶେଷ ପଟୁଆର ଭାବେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ମହାମାୟୀଙ୍କ ଏହି ବର୍ଷ ର ଶେଷ ନଗର ପରିକ୍ରମା ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସମାପନ ହୋଇଛି । ସକାଳ ୧୦.୩୦ ମି ସମୟରେ ପରିଷଦ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ଓ ନଗରପାଳ ଫିରୋଜ କୁମାର ସେଠୀଙ୍କ ନେତୃତ୍ୱରେ ପରିଷଦ କର୍ମଚାରୀ, ସମସ୍ତ କାଉନସିଲର, ଶତାଧିକ ସହରବାସୀ ଏକ ଶୋଭାଯାତ୍ରାରେ ଯାଇ ଅସ୍ଥାୟୀ ପୀଠରେ ମାଁ ଙ୍କୁ ନଗର ପରିକ୍ରମା ପାଇଁ ନିମନ୍ତ୍ରଣ ଦେଇଥିଲେ ।ସେଠାରୁ ଆଜ୍ଞାମାଳ ନେଇ ସଂଧ୍ୟାରେ ଏକ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ମାଁ ଙ୍କ ନଗର ପରିକ୍ରମା ଆରମ୍ଭ ହୋଇଥିଲା ।ମିଶନ ଶକ୍ତି, ସ୍ୱଚ୍ଛ ବେଲଗୁଣ୍ଠା, ବର୍ଜ୍ୟବସ୍ତୁ ପରିଚାଳନା ଓ ଜାତୀୟ ସ୍ତରରେ ପୁରସ୍କୃତ ବେଲଗୁଣ୍ଠା ର ପ୍ରଜ୍ଞାପନ ମେଢ ବେଶ୍ ଆକର୍ଷଣୀୟ ହୋଇଥିଲା ।ତା ସହିତ ବାଲିଗୁଡାର ଶିଙ୍ଗ ବାଜା ଓ ଛାପା ନୃତ୍ୟ ମଧ୍ୟ ଶୋଭାଯାତ୍ରାର ଶୋଭାକୁ ଦ୍ୱିଗୁଣିତ କରିଥିଲା । ବଡ଼ଦାଣ୍ଡ ଠାରେ ମାଁ ବ୍ରାହ୍ମଣ ଦେବୀ ପହଞ୍ଚିବା ପରେ ଓଡ଼ିଶାର ସ୍ୱନାମଧନ୍ୟ ବାଣକାର ମାନଙ୍କ ଦ୍ୱାରା ଆତସବାଜି ପ୍ରଦର୍ଶନ ହୋଇଥିଲା । ନଗର ପରିକ୍ରମା ଓ ବାଣ ପଟୁଆରର ଶେଷ ଦିନ ହୋଇଥିବାରୁ ବେଲଗୁଣ୍ଠା ସହର ଲୋକାରଣ୍ୟ ହୋଇଉଠିଥିଲା ।ବାଲିପଦର ରୋଡ୍ – ଭଞ୍ଜନଗର ରୋଡ୍ ତଥା ବେଲଗୁଣ୍ଠା ସହରର ବିଭିନ୍ନ ଗଳିକନ୍ଦିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ମାଁ ବ୍ରାହ୍ମଣ ଦେବୀ ସିଂହ ବାହିନୀ ରୂପରେ ନଗର ପରିକ୍ରମା କରୁଥିବାବେଳେ ଅନ୍ତିମ ଦିବସ ହେତୁ ସହରବାସୀ ଭାବବିହ୍ୱଳ ହୋଇ ମାଁ ଙ୍କୁ ସ୍ମରଣା କରୁଥିବା ଲକ୍ଷ୍ୟ କରାଯାଇଥିଲା । ବିଭିନ୍ନ ସାହି ରେ ମାଁ ଙ୍କ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ଓ ପଣା ଭୋଗ ରୂପେ ସମର୍ପଣ କରାଯାଇ ୧୦୮ ଆରତୀ କରାଯାଇଥିଲା । ଭୋର୍ ସମୟରେ ମାଁ ଅସ୍ଥାୟୀ ପୀଠରେ ବିରାଜମାନ କରିଥିଲେ ।