
ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ‘ବିଶ୍ୱ ଆଲଝିମର୍ ମାସ’ ଓ ସେପ୍ଟେମ୍ବର ୨୧ ତାରିଖକୁ ‘ବିଶ୍ୱ ଆଲଝିମର ଦିବସ’ ଭାବେ ପାଳନ କରାଯାଏ। ଏହାକୁ ଜର୍ମାନୀର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ତଥା ପାଥୋଲୋଜିଷ୍ଟ ଆଲୋଇସ୍ ଆଲଝିମର୍ଙ୍କ ନାମରେ ନାମକରଣ କରାଯାଇଛି। ଏହି ରୋଗରେ ପ୍ରଥମେ ସ୍ମରଣ ଓ ଭାବନା ଶକ୍ତି କମିଯାଏ। ନିତିଦିନିଆ କାମ, ଗାଧୋଇବା, ଖାଇବା, କଥାବାର୍ତ୍ତା କରିବା ଓ ପୋଷାକପତ୍ର ପିନ୍ଧିବାରେ ମଧ୍ୟ ଅସୁବିଧା ହୋଇଥାଏ। ମସ୍ତିଷ୍କର ଏକ ଜଟିଳ ପ୍ରକ୍ରିୟା ଯୋଗୁଁ ସ୍ନାୟୁ ନଷ୍ଟ ହେଲେ ଆଲ୍ଝିମର୍ ହୋଇଥାଏ। ବଂଶଗତ କାରଣ, ମସ୍ତିଷ୍କରେ ଆଘାତ, ମାନସିକ ବିଷାଦ ଓ ଉଚ୍ଚ ରକ୍ତଚାପ ଏହି ରୋଗର ଆଶଙ୍କାକୁ ବଢ଼ାଇଦିଏ। ପ୍ରାୟ ୬୫ ବର୍ଷ ପରେ ଶତକଡ଼ା ପ୍ରାୟ ୫ରୁ ୧୦ଭାଗ ଲୋକଙ୍କଠାରେ ଏହି ରୋଗ ଦେଖାଯାଇଥାଏ। ଏହି ରୋଗର ପ୍ରଥମ ଲକ୍ଷଣ ହେଉଛି ଲୋକଟି ଦିନର ଛୋଟ ଛୋଟ କାମ, ଟଙ୍କା ପଇସା, ଚାବି, ଘଣ୍ଟା, ଗାଡ଼ି, ପାନିଆ ଇତ୍ୟାଦି କେଉଁଠି ରଖିଛି, ସେ ସବୁ ଭୁଲିଯାଏ। ଆସ୍ତେ ଆସ୍ତେ ନିକଟରେ ଘଟିଥିବା ଘଟଣାଗୁଡ଼ିକୁ ମଧ୍ୟ ଲୋକଟି ଭୁଲିଯାଏ। କ୍ରମଶଃ ନିଜର ଅନ୍ତରଙ୍ଗ ଲୋକମାନଙ୍କୁ ମଧ୍ୟ ଚିହ୍ନିପାରେ ନାହିଁ। ଗୋଟିଏ ପ୍ରଶ୍ନକୁ ବାରମ୍ବାର ପଚାରେ। ନିଜର ନିତ୍ୟକର୍ମ ଯଥା – ଗାଧୋଇବା, ଖାଇବା ଇତ୍ୟାଦି ଠିକ୍ ଭାବରେ କରିପାରେ ନାହିଁ। ଏହି ରୋଗ ବହୁଦିନ ହେଲେ ବ୍ୟକ୍ତି ସ୍ମରଣ ଶକ୍ତି ଆଦୌ ରହେ ନାହିଁ। ଅବାନ୍ତର କଥା କହିଥାଏ। ନୂଆ ଜିନିଷ କିମ୍ବା ନୂଆ କାମ କିଛି ବୁଝିପାରେ ନାହିଁ। ଏପରି ଲୋକର ଦାୟିତ୍ୱ ନେବା ବହୁତ କଷ୍ଟ। ସେ ପ୍ରତିଦିନ ଏକ ନୂଆ ନୂଆ କଥା କହିବାକୁ ଚେଷ୍ଟା କରେ ଏବଂ ପ୍ରତିଦିନ ତା’ର କଥାବାର୍ତ୍ତା ମଧ୍ୟ ବଦଳୁଥାଏ। କୌଣସି ପ୍ରକାର ଔଷଧ ଚିକିତ୍ସା ଏହି ରୋଗକୁ ସଂପୂର୍ଣ୍ଣ ଭାବେ ଭଲ କରିପାରିବ ନାହିଁ, ମାତ୍ର ଏହାର ଲକ୍ଷଣକୁ କିଛି ମାତ୍ରାରେ କମ୍ କରିହେବ। ଔଷଧ ବ୍ୟତୀତ ପରିବାର ଲୋକଙ୍କ ଦାୟିତ୍ୱ ଅଧିକ। ଏପରି ରୋଗୀଙ୍କୁ ବଡ଼ ବଡ଼ ବାକ୍ୟ ନ କହି ଛୋଟ ଛୋଟ ବାକ୍ୟ କରିବା ଦରକାର ଯେପରି ସେ ବୁଝିପାରିବେ। ଟିଭି ଓ ରେଡିଓରେ ସାଉଣ୍ଡ କମ୍ ଦେବେ, ଦିନବେଳା ଲାଇଟ୍ ଜଳାଇବେ, ପାଖରେ ଗୋଟିଏ ବଡ଼ ଘଣ୍ଟା ରଖିବେ, କୌଣସି ଶବ୍ଦ ବା କଥା ମନେ ପଡୁ ନଥିଲେ, ତାଙ୍କୁ ମନେ ପକାଇବେ, ଦିନରେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଇବାକୁ ଦେବେ, ଛୋଟ ଛୋଟ କାମ ପ୍ରତି ଉତ୍ସାହିତ କରାଇବେ, ସବୁଦିନେ କିଛି ହାଲୁକା ବ୍ୟାୟାମ କରାଇବେ ଇତ୍ୟାଦି ଦ୍ବାରା ଆଲଝିମର୍ ରୋଗୀଙ୍କ ଯତ୍ନ ସଠିକ୍ ଭାବେ ନିଆଯାଇ ପାରିବ। ଏହା ବ୍ୟତୀତ ନିୟମିତ ଭାବେ ମନୋଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ।