
ଭୁବନେଶ୍ୱର: ୨୧/୦୫(ପ୍ରତୀକ୍ଷା ମିଶ୍ର ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଓଡ଼ିଶା ଦୁଃସାହସିକ ପର୍ଯ୍ୟଟନ ନିର୍ଦ୍ଦେଶାବଳୀ-୨୦୨୫କୁ ଚୁଡାନ୍ତ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାନ୍ୟ କ୍ଷେତ୍ର ସହିତ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ‘ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡିଶା’ ଦୃଷ୍ଟିଭଙ୍ଗୀ ନେଇ ଓଡ଼ିଶାରେ ପର୍ଯ୍ୟଟନ ପ୍ରକଳ୍ପ ଗୁଡ଼ିକର ବିକାଶ କରାଯିବ। ଦୁଃସାହସିକ ପର୍ଯ୍ୟଟନ କ୍ଷେତ୍ରକୁ ଏପରି ଆକର୍ଷଣୀୟ କରାଯିବ, ଯେପରି ଲୋକ ଭାରତକୁ ଆସିବା କଥା ଚିନ୍ତା କଲେ, ପ୍ରଥମେ ଓଡ଼ିଶା କଥା ତାଙ୍କ ମନକୁ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ-୨୦୪୭ର ପରିକଳ୍ପନା ସହିତ ତାଳଦେଇ ଓଡ଼ିଶାର ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ଯୋଜନା କରାଯାଉଛି ଏବଂ ପର୍ଯ୍ୟଟନ ମଧ୍ୟ ଆମ ସରକାରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର ବିକାଶ ପାଇଁ ଯେଉଁ ବ୍ୟାପକ ଦୃଷ୍ଟିଭଙ୍ଗୀ ରଖାଯାଇଛି। ଏହି ନିର୍ଦ୍ଦେଶାବଳୀ ତାହାର ଏକ ଅଂଶବିଶେଷ। ଓଡ଼ିଶାରେ ଥିବା ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଓ ରୋମାଞ୍ଚକ ସ୍ଥାନ ଗୁଡ଼ିକୁ ଦୁଃସାହସିକ ପର୍ଯ୍ୟଟନର ପ୍ରମୁଖ ଗନ୍ତବ୍ୟସ୍ଥଳୀ ଭାବରେ ବିକଶିତ କରିବା ଏହାର ଲକ୍ଷ୍ୟ। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ଏହି ଦୁଃସାହସିକ ପର୍ଯ୍ୟଟନର ସମ୍ଭାବନା ଥିବା ସ୍ଥାନ ଗୁଡ଼ିକର ମ୍ୟାପିଙ୍ଗ୍ କରାଯାଇ ଏଗୁଡିକର ବିକାଶ କରାଯିବ। ସାତକୋଶିଆରେ ରାଫ୍ଟିଙ୍ଗ୍ ଓ ହିରାକୁଦ ଉପରେ ହଟ୍ ଏୟାର ବେଲୁନ୍ ପର୍ଯ୍ୟଟନର ବିକାଶ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହିପରି ପର୍ଯ୍ୟଟନ ସୁବିଧାର ବ୍ୟବସ୍ଥା କରାଯିବାର ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ପାଇଁ ଘରୋଇ ସଂସ୍ଥା ଗୁଡ଼ିକୁ ଓଡିଶା ପର୍ଯ୍ୟଟନ ନୀତି-୨୦୨୨ ଅଧିନରେ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ମଧ୍ୟ ବ୍ୟବସ୍ଥା ରଖା ଯାଇଛି। ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ପର୍ଯ୍ୟଟନ ବିଭାଗର କମିସନର ତଥା ଶାସନ ସଚିବ ବଲୱନ୍ତ ସିଂହ ଉପସ୍ଥିତ ଥିଲେ।