
ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶରେ ଏକକାଳୀନ ନିର୍ବାଚନ କରାଇବା ଓ ଏହା ଉପରେ ସୁପାରିସ କରିବା ପାଇଁ ବିଜ୍ଞପ୍ତି ମାଧ୍ୟମରେ ଗଠିତ ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଅର୍ଜୁନ ରାମ ମେଘୱାଲ, ରାଜ୍ୟସଭାର ପୂର୍ବତନ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ, ପଞ୍ଚଦଶ ଅର୍ଥ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏନ୍. କେ. ସିଂହ, ଲୋକସଭାର ପୂର୍ବତନ ମହାସଚିବ ଡ. ସୁଭାଷ ସି. କଶ୍ୟପ, ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଆଭାଷୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଲୋକସଭାର ବିରୋଧୀ ଦଳର ସର୍ବବୃହତ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ନଥିଲେ । ଉଚ୍ଚସ୍ତରୀୟ କମିଟିର ସଦସ୍ୟ ମାନଙ୍କୁ ସ୍ୱାଗତ କରି କମିଟିର ଅଧ୍ୟକ୍ଷ ରାମନାଥ କୋବିନ୍ଦ ବୈଠକର କାର୍ଯ୍ୟସୂଚୀର ରୂପରେଖ ପ୍ରସ୍ତୁତ କରିଥିଲେ । କମିଟି କାର୍ଯ୍ୟର ରୂପରେଖ ପ୍ରସ୍ତୁତ କରି , କମିଟି ସ୍ୱୀକୃତିପ୍ରାପ୍ତ ଜାତୀୟ ରାଜନୈତିକ ଦଳ, ରାଜ୍ୟରେ ସରକାରରେ ଥିବା ରାଜନୈତିକ ଦଳ, ସଂସଦରେ ପ୍ରତିନିଧି ଥିବା ରାଜନୈତିକ ଦଳ, ଅନ୍ୟ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କୁ ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ସେମାନଙ୍କର ପରାମର୍ଶ / ଦୃଷ୍ଟିକୋଣ ଜାଣିବା ପାଇଁ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲା । ଏହା ବ୍ୟତୀତ ଏହି କମିଟି ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ନିଜର ପରାମର୍ଶ / ଦୃଷ୍ଟିକୋଣ ରଖିବା ପାଇଁ ଭାରତୀୟ ଆଇନ ଆୟୋଗଙ୍କୁ ମଧ୍ୟ ନିମନ୍ତ୍ରଣ କରିବ ।

