ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ଭୁବନେଶ୍ବରର/ କେନ୍ଦୁଝର:୨୦/୦୩(ଅଶୋକ ସାହୁ ): କେନ୍ଦୁଝର ଜିଲ୍ଲା ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ରେ ବହୁ କୋଟି ଟଙ୍କାର ଆର୍ଥିକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଖଣି ଲୋଡିଂ ଓ ଏଜେନ୍ସି ଦୁର୍ନୀତିରେ ସୁଶାନ୍ତଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ସୁଶାନ୍ତ ସାମଲଙ୍କୁ ଗିରଫ କରିବା ଲାଗି ଇଓଡବ୍ଲ୍ୟୁ କେନ୍ଦୁଝରରୁ ରାଜଧାନୀ ଯାଏ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଅବଶେଷରେ କେନ୍ଦୁଝରରୁ ଗିରଫ କରିଥିଲା। ସେପଟେ ରାଜା ଚକ୍ରଙ୍କୁ ଆଜିଠୁ ୩ ଦିନିଆ ରିମାଣ୍ଡ ନେଇଛି ଇଓଡବ୍ଲ୍ୟୁ। ମାମଲାର ତଦନ୍ତ କରୁଥିବା ଇଓଡବ୍ଲ୍ୟୁର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୦୧୭-୧୮ରୁ ୨୦୨୪ ମାର୍ଚ୍ଚ ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିଃ ୧୮୫ କୋଟି ଟଙ୍କା ଲାଭ କରିଥିବା ଖାତାରେ ଦର୍ଶାଇଥିଲେ ମଧ୍ୟ ୨୦୧୨-୧୩ରୁ ୨୦୨୪ ପର୍ଯ୍ୟନ୍ତ ସୋସାଇଟିର କୌଣସି ଅଡିଟ୍ କରାଯାଇନାହିଁ। ସ୍ଥାନୀୟ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ପାଇଁ ସଂସ୍ଥା ପକ୍ଷରୁ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି। ମାତ୍ର ସେଥିରେ କୌଣସି ଅର୍ଥ ଖର୍ଚ୍ଚ ହୋଇ ନଥିବା ମଧ୍ୟ ଦୁଇ ଜଣ ବିଡିଓ ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିଛନ୍ତି। ଏଥିସହ ସୋସାଇଟିର ଗାଡ଼ି ବଦଳରେ ରାଜା ଚକ୍ରଙ୍କ ନିଜ ଗାଡ଼ି, ମେସିନାରି ବ୍ୟବହାର କରି ସେଥିରେ ୯.୧ କୋଟି ଟଙ୍କାର ତେଲ ପକାଇବା ବାବଦରେ ତାଙ୍କ ନାଁରେ ଥିବା ମା’ କାଳୀ ପେଟ୍ରୋଲ ପମ୍ପକୁ ଏହି ଟଙ୍କା ପ୍ରଦାନ କରିଛି ଗନ୍ଧମାର୍ଦ୍ଦନ ଏଜେନ୍ସି। ସେହିପରି ୪ ବର୍ଷ ଭିତରେ ବିଭିନ୍ନ ଗାଁ ଲୋକଙ୍କ ମୁହଁକୁ ଚୁପ୍ କରି ସମର୍ଥନ ପାଇବା ପାଇଁ ସଂସ୍ଥା ପକ୍ଷରୁ ୩୩ କୋଟି ଟଙ୍କା ବଣ୍ଟନ କରାଯାଇଛି। ଶ୍ରମିକଙ୍କୁ ଦେୟ ଓ ଲୋଡିଂ ଖର୍ଚ୍ଚ ପାଇଁ ୭୪ କୋଟି ଟଙ୍କା ଦିଆଯାଇଥିବା ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ରାଜା ଚକ୍ର ଏବଂ ତାଙ୍କ ପତ୍ନୀ ରୂପାଲି ପଟ୍ଟନାୟକଙ୍କ ନାଁରେ ଥିବା ୨ଟି ଯାତ୍ରୀବାହୀ ଗାଡ଼ି, ୪୦ଟି ହାଇୱା ଗାଡ଼ିକୁ କ୍ରାଇମ୍ ବ୍ରାଞ୍ଚ ଜବତ କରିଛି। ଉଭୟଙ୍କ ନାଁରେ ୯୦ରୁ ଅଧିକ ଗାଡ଼ି ରହିଥିବା ବେଳେ ସେଗୁଡ଼ିକର କାଗଜପତ୍ର ମଧ୍ୟ ଯାଞ୍ଚ୍ ଚାଲିଛି। ଏଥିସହ ରାଜାର ୨ଟି ସ୍କ୍ରିନିଂ ପ୍ଲାଣ୍ଟ୍କୁ ମଧ୍ୟ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *