
ନୂଆଦିଲ୍ଲୀ: ୧୦/୦୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାରତ ପହଞ୍ଚିବା ଆଗରୁ ବଡ ବୟାନ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଲେ, ତହବୁର ରାଣାର ପ୍ରତ୍ୟର୍ପଣ ମୋଦୀ ସରକାରଙ୍କ ପାଇଁ କୁଟନୀତିର ଏକ ବିରାଟ ବିଜୟ । ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାରରେ ଶାହା କହିଛନ୍ତି, ଯେଉଁମାନେ ଭାରତ ଭୂମି, ଭାରତର ସମ୍ମାନ ଏବଂ ଭାରତର ନାଗରିକଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ସେମାନେ ଆମ ଆଇନର ପରିସରଭୁକ୍ତ ହେବା ଦରକାର । ଏହା ହିଁ ମୋଦୀ ସରକାରଙ୍କ ପ୍ରୟାସ । ଆଉ ତହବୁର ରାଣା ଭାରତ ଫେରିବା ମୋଦୀ ସରକାରଙ୍କ ପାଇଁ ଏକ ବଡ କୁଟନୈତିକ ବିଜୟ । ତେବେ ଏହି ଅବସରରେ କଂଗ୍ରେସ ସରକାରକୁ କଟାକ୍ଷ କରିଛନ୍ତି ଶାହା । ତହବୁର ରାଣା ପ୍ରସଙ୍ଗ ସହ ଯୋଡି ତତ୍କାଳୀନ ମନମୋହନ ସରକାରକୁ ଟାର୍ଗେଟ୍ କରିଛନ୍ତି ଶାହା । କହିଛନ୍ତି ଯେଉଁମାନଙ୍କ ସମୟରେ ଏହି ଆକ୍ରମଣ, ଏହି ଧମାକା ହୋଇଥିଲା ସେମାନେ ତ ରାଣାକୁ ଆଣିପାରିଲେନି ଏବେ ମୋଦୀ ସରକାରଙ୍କ ପାଇଁ ହିଁ ରାଣାର ପ୍ରତ୍ୟର୍ପଣ ହେବା ଏବଂ ତାକୁ ଆମ ସମ୍ବିଧାନ ଆମ ଅଦାଲତ ଅନୁସାରେ ଦଣ୍ଡ ମିଳିବା ଭାରତ ପାଇଁ ବଡ କଥା । ତେବେ ଆଉ କିଛି ଘଣ୍ଟାର ଅପେକ୍ଷା ପରେ ଭାରତରେ ପହଞ୍ଚିବ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ । ୧୬ ବର୍ଷ ପରେ ଭାରତ ଫେରୁଛି ଆତଙ୍କୀ ତହବୁର ରାଣା । ଭାରତରେ ପାଦ ଦେବା ପରେ ତାକୁ ପ୍ରଥମେ ଔପଚାରିକ ଭାବେ ଗିରଫ କରିବ ଏନଆଇଏ ଏବଂ ପରେ ତାକୁ ତିହାର ଜେଲରେ ରଖାଯିବ । ଏଥିପାଇଁ ତିହାର ଜେଲରେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ସରିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତିହାରରେ ରହିବା ପରେ ତହବୁର ସବୁ ହିସାବ ନିକାଶ ହେବ । ମୁମ୍ବାଇ ଆକ୍ରମଣ ପଛର ଅନ୍ୟ ଦିଗ ଉପରେ ଜେରା କରି ତା ଠାରୁ ସବୁ ଉତ୍ତର ମଗାଯିବ ।