ଆଜି ସମ୍ବଲପୁରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଆଜି ସମ୍ବଲପୁରରେ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର,୨୧/୦୪: ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱର ବାହାରେ ଲୋକଙ୍କ ଅଭିଯୋଗ ଶୁଣିବେ। ସୋମବାର ସମ୍ବଲପୁରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣିକୁ ସଫଳତାର ସହିତ ସମ୍ପନ୍ନ କରିବାକୁ ପ୍ରାଥମିକତା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ରବିବାର ରାତିରେ ସମ୍ବଲପୁରଠାରେ ପହଞ୍ଚତ୍ ମା’ସମଲେଇଙ୍କ ଦର୍ଶନ କରିଛନ୍ତି। ଅଭିଯୋଗ ଶୁଣାଣିର ଅବ୍ୟବହିତ ପୂର୍ବରୁ ରବିବାର ସକାଳେ ସମ୍ବଲପୁର ମହାନଗର ନିମଗ କାର୍ଯ୍ୟାଳୟରେ ପ୍ରସ୍ତୁତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିବା ଅବସରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହା କହିଛନ୍ତି। ସେ କହିଛନ୍ତି, ପଞ୍ଜୀକୃତ ସମସ୍ତ ଅଭିଯୋଗକାରୀଙ୍କ ଅଭିଯୋଗର ଶୁଣାଣି ପାଇଁ ପ୍ରୟାସ କରାଯିବ। ପଞ୍ଜୀକୃତ ହୋଇଥିବା ଏକ ହଜାର ସ୍ଲଟ ମଧ୍ୟରୁ ସର୍ବାଧିକ ପ୍ରାୟ ୫ଶହ ପାଖାପାଖି ସମ୍ବଲପୁରର ଅଭିଯୋଗକାରୀ ରହିଥିବା ବେଳେ ବରଗଡ଼ ଓ ଝାରସୁଗୁଡ଼ାର ଅଭିଯୋଗକାରୀଙ୍କ ସଂଖ୍ୟା ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ଏଠାରେ କେବଳ ପଶ୍ଚିମ ଓଡ଼ିଶାର ନୁହେଁ, ବରଂ କଟକର ମଧ୍ୟ କେତେଜଣ ଅଭିଯୋଗକାରୀ ପଞ୍ଜୀକୃତ ହୋଇଛନ୍ତି। ଶୁଣାଣି ବେଳେ ନାମ ପଞ୍ଜୀକରଣ ସହିତ ସମ୍ପୃକ୍ତ ଅଭିଯୋଗକାରୀ ଉପସ୍ଥିତ ରହିବା ଅନିବାର୍ଯ୍ୟ। ତେବେ ସମସ୍ତ ଅଭିଯୋଗକାରୀଙ୍କ ସମସ୍ୟାର ଶୁଣାଣି ମାଧ୍ୟମରେ ଯଥାଶୀଘ୍ର ଯେମିତି ସମାଧାନ ହୋଇପାରିବ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ତେବେ ବର୍ତ୍ତମାନ ଜାରି ରହିଥିବା ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲାରୁ ଆସୁଥିବା ଅଭିଯୋଗକାରୀଙ୍କ ସୁବିଧା ଓ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *