
କଟକ/୨୩/୦୪: କଟକ ଗତିରାଉତପାଟଣା ମହାନଦୀ ବନ୍ଧ ରାସ୍ତାରେ ବାଲି ବୋଝେଇ ହାଇଵା ପୁଲିସ ପିସିଆର ଭ୍ୟାନ୍କୁ ଚାପି ଦେଇଛି। ଘଟଣାସ୍ଥଳରେ ଦୁଇ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣାରେ ମୃତ ହୋମଗାର୍ଡ ଡ୍ରାଇଭର ହେଉଛନ୍ତି କଟକ ସଦର କିଶୋରନଗର ପାଇକସାହିର ଜଗବନ୍ଧୁ ମାହାଳି(୪୨) ଓ ଓଏପିଏଫ୍ କର୍ମଚାରୀ କୋରାପୁଟ ଜିଲ୍ଲା ଗୁଣପୁର ବ୍ଲକ୍ ଗୋଇଗୁଡ଼ାର ଲୋକନାଥ ଶବର(୩୮)। ଅନ୍ୟପଟେ ଏହି ଦୁର୍ଘଟଣାରେ ହୋମଗାର୍ଡ ଯାଜପୁର ଜିଲ୍ଲା ବଡ଼ଚଣାର ପବିତ୍ର ମୋହନ ସେଠୀ(୫୨) ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳାବାଗ ଥାନା ପରିସରରେ ମୃତ ପୁଲିସ କର୍ମଚାରୀଙ୍କୁ କଟକ କମିସନରେଟ୍ ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯିବା ସହିତ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ଭୋର ପ୍ରାୟ ୩ଟା ୪୫ ବେଳେ ସିଆର୍ଆର୍ଆଇ ଥାନା ଅନ୍ତର୍ଗତ ଗତିରାଉତପାଟଣା ମହାନଦୀ ବନ୍ଧ ରାସ୍ତାରେ ଥାନାର ୧୫ ନମ୍ବର ପିସିଆର୍ ଭ୍ୟାନ୍ଟି କିଶନନଗର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିଲା। ଭ୍ୟାନ୍ରେ ଜଗବନ୍ଧୁ, ଲୋକନାଥ, ପବିତ୍ର ବସିଥିଲେ। ଏକ ବାଲି ବୋଝେଇ ହାଇୱା(ଓଡି ୦୨ୟୁ ୧୯୫୫) କିଶନନଗରରୁ କଟକ ଆଡ଼କୁ ଦ୍ରୁତ ଗତିରେ ଆସି ପିସିଆର୍ ଭ୍ୟାନକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଉଭୟ ଗାଡ଼ି ନଦୀବନ୍ଧ ତଳକୁ ଖସି ପଡ଼ିଥିଲେ। ପିସିଆର୍ ଭ୍ୟାନ୍ ଉପରେ ହାଇୱା ପଡ଼ିଯିବାରୁ ଭ୍ୟାନ୍ ଚାପି ହୋଇଯାଇଥିଲା। ଗାଡ଼ି ଭିତରେ ଜଗବନ୍ଧୁ ଓ ଲୋକନାଥ ଚାପି ହୋଇଯାଇଥିବା ବେଳେ ପବିତ୍ର ଡେଇଁ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ସେ ପ୍ରଥମେ ସିଆର୍ଆର୍ଆଇ ଥାନାକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ତାଙ୍କୁ ସ୍ଥାନୀୟ ଗତିରାଉତପାଟଣାର କିଛି ବ୍ୟକ୍ତି କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ପୁଲିସ ଟିମ୍ ଓ ଚାଉଳିଆଗଞ୍ଜ ଅଗ୍ନିଶମ ଟିମ୍ ପହଞ୍ଚି କଟରରେ କାଟି ଜଗବନ୍ଧୁ ଓ ଲୋକନାଥଙ୍କୁ କାଢ଼ିଥିଲେ। ହାଇୱା ଡ୍ରାଇଭର ଝାଡ଼ଖଣ୍ଡର ଶିବୁ ସୋରେନକୁ ପୁଲିସ କାବୁ କରିଛି। ସେ କଟକ ସଦର ବ୍ଲକ ଅନ୍ତର୍ଗତ ବାରଦା ବାଲିଘାଟରୁ ବାଲି ଆଣୁଥିବା ଜଣାପଡ଼ିଛି। ଅନ୍ୟପଟେ ମୃତ ଦୁଇ ପୁଲିସ କର୍ମଚାରୀଙ୍କୁ କମିସନର ଏସ୍.ଦେବଦତ୍ତ ସିଂହ ଓ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ଉପସ୍ଥିତିରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ପରିବାରର ଜଣକୁ ଚାକିରି ଦେବା ପାଇଁ ଜଗବନ୍ଧୁ ମାହାଳିଙ୍କ ଭାଇ କାଳନ୍ଦୀ ଚରଣ ମାହାଳି ଓ ଲୋକନାଥଙ୍କ ପତ୍ନୀ ଦେବୀ ଶଵର ଦାବି କରିଛନ୍ତି।