
ବାଉଁଶୁଣି: ୨୭/୦୪:ଗୋଟିଏ ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସେଠାକାର ରାସ୍ତାଘାଟର ଉନ୍ନତି ନିହାତି ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ। ହେଲେ ବୌଦ୍ଧ ବ୍ଲକର ଅନ୍ୟତମ ପୁରାତନ ସ୍ଥାନ ବାଉଁଶୁଣି ବଜାରର ରାସ୍ତାଗୁଡିକର ଅବସ୍ଥାକୁ ଦେଖିଲେ ଏଥିରେ ନିହାତି ଭାବେ ବ୍ୟତିକ୍ରମ ଦେଖାଯାଉଛି। ବାଉଁଶୁଣିକୁ ପୂର୍ବ ସରକାର ନିର୍ବାଚନ ପୂର୍ବରୁ ଏନଏସି ଘୋଷଣା କରିଥିଲେ। ଏହି ସହର ମଧ୍ୟ ଦେଇ ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଯାଇଛି। କିନ୍ତୁ ପରିସ୍ଥିତି ଏପରି ହୋଇଛି ଯେ ଏହି ରାସ୍ତାରେ ଏବେ ସବୁବେଳେ ଟ୍ରାଫିକ ଜାମ୍ ହେଉଥିବା ଦେଖାଯାଇଛି। ଅନ୍ୟପକ୍ଷରେ ସହର ବାହାରେ ବିକଳ୍ପ ରାସ୍ତା ଉପଲବ୍ଧ ଥିବା ସତ୍ତ୍ୱେ ରାଜସ୍ୱ ବିଭାଗର ଦୁରଦୃଷ୍ଟିର ଅଭାବ ସାଙ୍ଗକୁ ପ୍ରିୟାପ୍ରୀତି ନୀତି ଯୋଗୁଁ ମହାନଦୀ ସେତୁ ନିର୍ମାଣ ସ୍ଥଳକୁ ସହର ମଧ୍ୟ ଦେଇ ରାସ୍ତା ଦିଆଯାଇଛି। ଏପରି ସ୍ଥଳେ ଠିକା ସଂସ୍ଥାର ବିରାଟ ବିରାଟ ଭାରିଯାନ ଗୁଡିକ ସେତୁ ନିର୍ମାଣ ସ୍ଥଳକୁ ସବୁବେଳେ ଯିବାଆସିବା କରୁଥିବା ଯୋଗୁଁ ଅନେକ ସମୟରେ ଟ୍ରାଫିକ ଜାମ ହେଉଥିବାର ଅଭିଯୋଗ ହେଉଛି। ସେପଟେ ବଜାର ଦେଇ ଗୁନ୍ଦୁଳିଆକୁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଶହ ଶହ ସଂଖ୍ୟାରେ ଭାରିଯାନ ଯାଉଥିବାରୁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। କାରଣ ଏହି ରାସ୍ତାର ଗୋଛାପଡା ଠାରେ ୬ଟି କ୍ରସର ସ୍ଥାପନ ହୋଇଥିବା କାରଣରୁ ହାଇୱା,ଡ଼ମ୍ପର ଭଳି ଭାରିଯାନ ଗୁଡିକ ଦିନରାତି ସବୁବେଳେ ଯାତାୟତ କରୁଛି। ଏହି ଭାରିଯାନ ଗୁଡିକ ପାଇଁ ବଜାରରେ ସବୁବେଳେ ଟ୍ରାଫିକ ସମସ୍ୟା ଲାଗି ରହୁଛି ବୋଲି ଦୀର୍ଘ ବର୍ଷ ଧରି ଅଭିଯୋଗ ହୋଇ ଆସୁଛି।ଅଭିଯୋଗ ପରେ ବାଉଁଶୁଣି ପୁଲିସ ପକ୍ଷରୁ ସ୍କୁଲପଢ଼ା ଓ ଛୁଟି ସମୟରେ ଭାରିଯାନ ଚଳାଚଳ ପାଇଁ ବାରଣ କରାଯାଇଥିବା ସତ୍ତ୍ୱେ ଏହାକୁ ନମାନି ଭାରିଯାନ ଗୁଡିକ ରୀତିମତ ଚଳାଚକ କରୁଛି। ଏହି ଗାଡ଼ିଗୁଡିକ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିବା ସହିତ ଛାତ୍ରଛାତ୍ରୀଙ୍କ ଯିବାଆସିବା କରିବାରେ ସବୁବେଳେ ବିପଦର ଆଶଙ୍କା ରହୁଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଥିପାଇଁ ବାଉଁଶୁଣି ନାଗରିକ କମିଟି ବାଉଁଶୁଣିରେ ପାଇପାସ ରାସ୍ତା ନିର୍ମାଣ ପାଇଁ ବହୁଥର ଦାବି କରିବା ସହ ଅନେକ ସମୟରେ ଆନ୍ଦୋଳନ ମଧ୍ୟ କରିଛି।ବାଇପାସ ନିର୍ମାଣ ହେଲେ ଭାରିଯାନ ଗୁଡିକ ସେହି ରାସ୍ତା ଦେଇ ଯିବାଆସିବା କଲେ ଟ୍ରାଫିକ ସମସ୍ୟା ଅନେକାଂଶରେ ସୁଧୁରିବା ସହ ଛାତ୍ରଛାତ୍ରୀମାନେ ନିରାପଦରେ ଯିବାଆସିବା କରି ପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ବାଇପାସ ନିର୍ମାଣ ଦାବି କେବଳ ରାଜନୈତିକ ପ୍ରସଙ୍ଗ ହୋଇ ନିର୍ବାଚନ ପରେ ଏହି ଦାବି ଶିଥିଳ ପଡ଼ି ହଜି ଯାଉଛି। ବୌଦ୍ଧ ଓ ମନମୁଣ୍ଡାରେ ବାଇପାସ ନିର୍ମାଣ ହୋଇ ସାରି ଥିବାରୁ ବର୍ତ୍ତମାନ ବାଉଁଶୁଣିରେ ବାଇପାସ ରାସ୍ତା ନିର୍ମାଣ ଅତ୍ୟନ୍ତ ଜରୁରୀ ହୋଇପଡିଥିବା ବେଳେ ପ୍ରଶାସନିକ ସ୍ତରରେ କିନ୍ତୁ ଏହି ସମସ୍ୟାକୁ ଗୁରୁତ୍ୱ ଦିଆଯାଉ ନଥିବା ଅଭିଯୋଗ ହେଉଛି। ଲୋକଙ୍କ ଯାତାୟତ ପାଇଁ ସୁବିଧା ଦୃଷ୍ଟିରୁ ବାଇପାସ ରାସ୍ତା ନିର୍ମାଣ ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରୁ ଦାବି ହେଉଅଛି।