କମ୍ବିଂ ଅପରେସନ୍‌ ସମୟରେ ୪ ବୋମା ନିଷ୍କ୍ରିୟ କଲା ପୁଲିସ

କମ୍ବିଂ ଅପରେସନ୍‌ ସମୟରେ ୪ ବୋମା ନିଷ୍କ୍ରିୟ କଲା ପୁଲିସ

ରାୟଗଡ଼ା: ୦୬/୦୫: କମ୍ବିଂ ଅପରେସନ୍‌ ସମୟରେ ଡିଭିଏଫ୍ ଯବାନ ଅମ୍ବାଦଳା ଥାନାର ଜଗଦଲପୁର ଓ ଶରଧାପୁର ଅଞ୍ଚଳରୁ ୪ଟି ଆଇଇଡି ଠାବ କରିଛନ୍ତି। ଠାବ ଆଇଇଡି ମଧ୍ୟରେ ଗୋଟିଏ ପ୍ରେସର ବୋମା ଓ  ୩ଟି ଟିଫିନ୍‌ ବୋମା ଥିବା ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ୍‌ କୁମାର ସୂଚନା ଦେଇଛନ୍ତି। ଆଇଇଡିଗୁଡ଼ିକର ଓଜନ ପ୍ରାୟ ୪ରୁ ୫କେଜି ରହିଥିଲା। ଆଇଇଡିଗୁଡ଼ିକୁ ସିଆର୍‌ପିଏଫ୍‌ର ବମ୍‌ ସ୍କ୍ବାଡ୍‌ ସହାୟତାରେ ନିଷ୍କ୍ରିୟ କରାଯାଇଛି। ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପ‌ରେ ଜଗଦଲପୁର ଓ ଶରଧାପୁର ଜଙ୍ଗଲରେ ଡିଭିଏଫ୍‌ ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିଲା। ଅପରେସନ୍‌ ସମୟରେ ତଳେ ପୋତା ଯାଇଥିବା ୪ଟି ଆଇଇଡିକୁ ଯବାନ ଠାବ କରିବା ପରେ ସତର୍କତାର ସହ ଉଦ୍ଧାର କରିଥିଲେ। ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଏହି ଆଇଇଡିଗୁଡ଼ିକୁ ପୋତିଥିଲେ। ମାଓବାଦୀଙ୍କ ଗତିବିଧିକୁ ରୋକିବାକୁ ପୁଲିସ୍‌ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌କୁ ଜୋର୍‌ଦାର କରାଯାଇଛି। ରାୟଗଡ଼ା ଜିଲ୍ଲା ମାଓବାଦୀମୁକ୍ତ ଘୋଷିତ ହେବା ପରେ କୌଣସି ଅଘଟଣ ଘଟାଇବାରେ ସକ୍ଷମ ହୋଇନାହାନ୍ତି ମାଓବାଦୀ। କେବଳ ପୋଷ୍ଟର୍‌, ବ୍ୟାନର୍‌ ମାରି ନିଜ ସ୍ଥିତିକୁ ଜାହିର କରୁଛନ୍ତି। ରାୟଗଡ଼ା ସୀମାନ୍ତ କନ୍ଧମାଳ ଜିଲ୍ଲାରେ ବଂଶଧାରା-ନାଗାବଳୀ-ଘୁମୁସର ଡିଭିଜନ୍‌ ନକ୍ସଲ ସକ୍ରିୟ ରହିଛି। ରାୟଗଡ଼ା ଜିଲ୍ଲା ସୀମାନ୍ତ ଜଙ୍ଗଲକୁ ମାଓବାଦୀ ସୁରକ୍ଷିତ ସ୍ଥଳ ଭାବେ ବାଛି ନେଇଛନ୍ତି।

Leave a Reply

Your email address will not be published. Required fields are marked *