
ଝାରସୁଗୁଡ଼ା :୧୧/୦୫: ଝାରସୁଗୁଡା ୪୫ ଡିଗ୍ରି ଖରାରେ କୋଇଲା ଖଣିର ଉତ୍ତାପ ଭିତରେ ଝାଳ ବୁହାଇ ପରିଶ୍ରମ କରୁଥିବା ଶ୍ରମିକ ସେମାନଙ୍କ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ଖଣି ଭିତରେ ବିଭିନ୍ନ କାର୍ଯ୍ୟ ପାଇଁ ଠିକା ନେଇଥିବା କମ୍ପାନିମାନେ ଓଭରଡ୍ୟୁଟି କରାଇ ଶ୍ରମିକଙ୍କୁ ଶୋଷଣ କରିବା ଏକ ସାଧାରଣ କଥା ପାଲଟି ଯାଇଥିବା ବେଳେ ଏବେ ହାଇ ପାୱାର କମିଟି(ଏଚ୍ପିସି) ଦ୍ବାରା ନିର୍ଦ୍ଧାରିତ ମଜୁରୀ ପ୍ରଦାନରେ ଟାଳଟୁଳ ନୀତି ଦ୍ବାରା ଶ୍ରମିକଙ୍କ ପେଟରେ ଲାତ ବାଜୁଥିବା ବେଳେ ଠିକା ସଂସ୍ଥା କିନ୍ତୁ ମାଲେମାଲ୍ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଏମ୍ସିଏଲ୍ର ଲଖନପୁର ପିଓ ବିକେ ସିଂଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍ ଉଠାଇନଥିଲେ। ଅଭିଯୋଗ ଅନୁସାରେ, କୋଇଲା ଖଣିଗୁଡ଼ିକରେ କାର୍ଯ୍ୟରତ ସମସ୍ତ ଶ୍ରମିକ ତଥା କର୍ମଚାରୀଙ୍କୁ କୋଲ୍ ଇଣ୍ଡିଆ ଲିମିଟେଡ୍ର ହାଇ ପାୱାର କମିଟି ଦ୍ବାରା ନିର୍ଦ୍ଧାରିତ ପାରିଶ୍ରମିକ ମିଳିବା କଥା। ଗତ ଅକ୍ଟୋବର ମାସରେ ଶେଷ ଥର ପାଇଁ ଏହି କମିଟି ବସି ପାରିଶ୍ରମିକ ନିର୍ଦ୍ଧାରଣ କରିଥିଲା। ଖଣିରେ କାର୍ଯ୍ୟରତ ଡ୍ରାଇଭରମାନେ ସ୍କିଲଡ୍ ତାଲିକାରେ ଆସୁଥିବା ବେଳେ ସେମାନଙ୍କ ଦୈନିକ ପାରିଶ୍ରମିକ ୧୩୧୩ ଟଙ୍କା ହେଉଥିବା ବେଳେ ମାସକୁ ଅତିକମ୍ରେ ସେମାନେ ୨୬ଟି ଡ୍ୟୁଟି ପାଇବା କଥା। ୨୬ଟି ହାଜିରା ଥିବା ଡ୍ରାଇଭରର ଦରମା ଏଚ୍ପିସି ହିସାବରେ ୩୪ ହଜାର ୧୩୮ ଟଙ୍କା ହେଉଥିବା ବେଳେ ଉକ୍ତ ଡ୍ରାଇଭରକୁ କିନ୍ତୁ ୨୬ ହଜାର ୨୬୦ ଟଙ୍କା ମିଳୁଛି। ଏହି ସ୍ଥାନରେ ଠିକା କମ୍ପାନି ଏମ୍ସିଏଲ୍କୁ ରିପୋର୍ଟ ଦେବା ବେଳକୁ ଡ୍ରାଇଭର ୨୦ଟି ହାଜିରା କରିଥିବା ଦର୍ଶାଉଥିବା ବେଳେ ସେହି ହାରେ ୨୬,୨୬୦ ଟଙ୍କାର ହିସାବ ବି ଠିକ୍ ଛିଣ୍ଡୁଛି। କିନ୍ତୁ ପ୍ରକୃତରେ ଡ୍ରାଇଭର ଜଣଙ୍କ ଦୈନିକ ୧୩୩୦ ଟଙ୍କା ବଦଳରେ ୧ ହଜାର ଟଙ୍କାର ପାରିଶ୍ରମିକ ପାଉଛି। ଏନେଇ ମୁହଁ ଖୋଲିଲେ ଠିକା ସଂସ୍ଥା ସେମାନଙ୍କୁ କାଢ଼ିଦେବାକୁ ନଚେତ୍ ବଦଳି କରିଦେବାକୁ ଧମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। କେବଳ ଯେ ଡ୍ରାଇଭରଙ୍କ କ୍ଷେତ୍ରରେ ନୁହେଁ ବରଂ ଖଣିରେ କାର୍ଯ୍ୟରତ ପ୍ରାୟ କର୍ମଚାରୀ ଏଭଳି ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ବିଜେପି ଯୁବ ନେତା ବିଶ୍ବଜିତ ଷଡଙ୍ଗୀଙ୍କ ନେତୃତ୍ବରେ ଶ୍ରମିକମାନେ ଏକାଧିକ ଥର ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇ ଏହାର ସମାଧାନ କରିବାକୁ ଦାବି କରିଛନ୍ତି। ମାତ୍ର ସବୁଥର ଏମ୍ସିଏଲ୍ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଉଥିଲେ ହେଁ କାର୍ଯ୍ୟକାରୀ କରୁନଥିବା ଶ୍ରୀ ଷଡଙ୍ଗୀ କହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କାଳେ କମ୍ପାନିଙ୍କ ଏହି ଚାଲ୍ ଜଣାପଡ଼ିଯିବ ସେହି ଭୟରେ ସାଲାରି ସ୍ଲିପ୍ ମାଗିଲେ ବି ଶ୍ରମିକ ବା କର୍ମଚାରୀମାନଙ୍କୁ ମନା କରିଦିଆଯାଉଥିବା ଅଭିଯୋଗ ହୋଇଛି। ଜଣେ ଜଣେ ଶ୍ରମିକଙ୍କଠାରୁ କମ୍ପାନିମାନେ ଦରମା ବାବଦକୁ ୬-୮ ହଜାର ଟଙ୍କା କାଟି ଦେଉଥିବା ବେଳେ କେବଳ ଲଖନପୁର କ୍ଷେତ୍ରରେ କାର୍ଯ୍ୟରତ କିଛି ନିର୍ଦ୍ଧିଷ୍ଟ କମ୍ପାନିର ୨ହଜାରରୁ ଅଧିକ ଶ୍ରମିକ ଏଭଳି ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି।