ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି, ବଢ଼ିଲେ ସଶସ୍ତ୍ର ବାହିନୀ: ମନ୍ଦିର ଭିତରେ, ବାହାରେ ୩୩ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

ଶ୍ରୀମନ୍ଦିରରେ ସୁରକ୍ଷା କଡ଼ାକଡ଼ି, ବଢ଼ିଲେ ସଶସ୍ତ୍ର ବାହିନୀ: ମନ୍ଦିର ଭିତରେ, ବାହାରେ ୩୩ ସମ୍ବେଦନଶୀଳ ସ୍ଥାନ ଚିହ୍ନଟ

ପୁରୀ: ୧୦/୦୫: ସୀମାରେ ଭୟାନକ ଲଢ଼େଇ ପରେ କଡ଼ା ସୁରକ୍ଷା ବଳୟରେ ରହିଛି ଶ୍ରୀମନ୍ଦିର। ‘ଅପରେସନ ସିନ୍ଦୂର୍‌ ୨.୦’ ପରେ ପାକିସ୍ତାନ ପାଲଟା ଆକ୍ରମଣ ପାଇଁ ପ୍ରୟାସ କରୁଥିବାରୁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ସୁରକ୍ଷାରେ ଯେପରି ସାମାନ୍ୟତମ କ୍ଷତି ନପହଞ୍ଚେ ସେନେଇ ସଶସ୍ତ୍ର ବଳକୁ ବଢ଼ାଇ ଦିଆଯାଇଛି। ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତିନିଟି ସିଫ୍‌ଟରେ ୨୪ ଘଣ୍ଟିଆ ସଶସ୍ତ୍ର ବନ୍ଧୁକଧାରୀ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ପ୍ରତି ସିଫ୍‌ଟରେ ୧୨୦ ଜଣ ଲେଖାଏଁ ସଶସ୍ତ୍ର ବାହିନୀ ନିୟୋଜିତ ହୋଇଛନ୍ତି। ଉଭୟ ଶ୍ରୀମନ୍ଦିର ଭିତର ଓ ବାହ୍ୟ ପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ମୋଟ ୩୩ଟି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ବାହ୍ୟ ପାର୍ଶ୍ବରେ ସୁରକ୍ଷା ପାଇଁ ୧୯ଟି ପୋଷ୍ଟକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରି ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ସେହିପରି ଶ୍ରୀମନ୍ଦିର ଭିତର ପାର୍ଶ୍ବରେ ୧୪ଟି ପୋଷ୍ଟ ଚିହ୍ନଟ କରାଯାଇ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଉଚ୍ଚ ବିଲଡିଂରେ ସୁରକ୍ଷା କର୍ମୀମାନେ ବାଇନାକୁଲାର ଧରି କଡ଼ା ନଜର ରଖିଛନ୍ତି। କୌଣସି ସନ୍ଦିଗ୍ଧ ଗତିବିଧି, ବ୍ୟକ୍ତିବିଶେଷ ଓ ଘଟଣା ନଜରରେ ପଡ଼ିବା କ୍ଷଣି କଣ୍ଟ୍ରୋଲ ରୁମ୍‌କୁ ସୂଚନା ପହଞ୍ଚାଇବା ପାଇଁ ସଜାଗ ରହିଛନ୍ତି। ସ୍ବତନ୍ତ୍ର କ୍ବିକ୍‌ ରେସପନ୍ସ ଟିମ୍‌ (କ୍ୟୁଆର୍‌ଟି) ମଧ୍ୟ ନିୟୋଜିତ ହୋଇଛନ୍ତି। ଏସ୍‌ପି ବିନୀତ ଅଗ୍ରୱାଲଙ୍କ ସୂଚନା ମୁତାବକ, ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହେଲେ ଅପରେସନାଲ୍‌ କମାଣ୍ଡୋ, ପ୍ଲାଟୁନ୍‌ କମାଣ୍ଡେ ଓ ସୁରକ୍ଷା ପ୍ରଶାସକଙ୍କ ସହ ଯୋଗାଯୋଗ କରିବା ପାଇଁ ନିର୍ଦ୍ଦେଶ ରହିଛି। ମେଟାଲ ଡିଟେକ୍ଟର, ହ୍ୟାଣ୍ଡ ହେଲ୍‌ଡ ମେଟାଲ ଡିଟେକ୍ଟର ଓ ଫିଜିକାଲ ଯାଞ୍ଚ ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ସହରର ପ୍ରବେଶ ପଥରେ ନାକା ଆରମ୍ଭ ହୋଇଯାଇଛି। ଭୁବନେଶ୍ବର-ପୁରୀ, ବ୍ରହ୍ମଗିରି-ପୁରୀ, କୋଣାର୍କ-ପୁରୀ ପ୍ରବେଶ ପଥରେ ଗାଡ଼ି ମୋଟରଗୁଡ଼ିକୁ ତନଖି କରି ଛଡ଼ାଯାଉଛି। ଏଥିସହ ଜନ ସମାଗମ ଅଧିକ ହେଉଥିବା ସ୍ଥାନ ଯଥା ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ମଧ୍ୟ ଘନଘନ ପାଟ୍ରୋଲିଂ ସହ ସନ୍ଦିଗ୍ଧ ଗତିବିଧି ଉପରେ ଦୃଷ୍ଟି ରଖାଯାଇଛି। ଏହା ବ୍ୟତୀତ ବିଭିନ୍ନ ଲଜ୍‌ ଓ ହୋଟେଲରେ ମଧ୍ୟ ଚେକିଂ କରାଯାଉଛି। ପୁଲିସ୍‌ ପକ୍ଷରୁ ହୋଟେଲ କର୍ତ୍ତୃପକ୍ଷଙ୍କୁ ସିସିଟିଭି ବ୍ୟବସ୍ଥା ସଚଳ ରଖିବାକୁ କୁହାଯାଇଛି। ହୋଟେଲରେ ରହିବାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍ଥାନ, କାଳ, ପାତ୍ର ପଞ୍ଜୀକୃତ ରେଜିଷ୍ଟରକୁ ମଧ୍ୟ ପୁଲିସ୍‌ ଯାଞ୍ଚ କରୁଛି। କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ହେଲେ ତୁରନ୍ତ ପୁଲିସକୁ ଖବର ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକଙ୍କ ଜୀବନ ସୁରକ୍ଷିତ ରଖିବା ନେଇ ପୁଲିସ ପକ୍ଷରୁ ବିଭିନ୍ନ ହୋଟେଲ ଓ ଲଜ୍‌ରେ ଅଚାନକ ଚଢ଼ଉ କରାଯାଉଛି। ଉପକୂଳ ସୁରକ୍ଷା ପାଇଁ ୪ ମେରାଇନ୍‌ ଥାନାକୁ ସଜାଗ ରହିବା ସହ ପାଟ୍ରୋଲିଂ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ବ ଦିଆଯାଇଛି। ତେଣୁ କିଛି ବି ଅସ୍ବାଭାବିକ ଘଟଣା ଉପରେ ନଜର ପଡ଼ିଲେ ତାହା ପୁଲିସ୍ ନିକଟରେ ତ୍ବରିତ ପହଞ୍ଚିବ ବୋଲି ସେ କହିଛନ୍ତି। ଯୁଦ୍ଧ ପରିସ୍ଥିତି ଧୀରେ ଧୀରେ ଜଟିଳ ହେଉଥିବାରୁ ପାକିସ୍ତାନର ପାଲଟା ଆକ୍ରମଣର ଜବାବ ଦେବାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ପର୍ଯ୍ୟଟନ ହବ୍‌ ହୋଇଥିବାରୁ ପ୍ରତିଦିନ ୫୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଆଗମନ ହେଉଛି। ଶ୍ରୀମନ୍ଦିର ଓ ବେଳାଭୂମି ବୁଲିବା ସହ ହୋଟେଲ୍‌ ଓ ଲଜ୍‌ରେ ପର୍ଯ୍ୟଟକମାନେ ଦିନ କାଟୁଛନ୍ତି। ତେଣୁ ପୁରୀ ଶ୍ରୀମନ୍ଦିର ସୁରକ୍ଷା ସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି।

Leave a Reply

Your email address will not be published. Required fields are marked *