ଆଜି ମହାପ୍ରଭୁଙ୍କ ଅଧରପଣା :

ଆଜି ମହାପ୍ରଭୁଙ୍କ ଅଧରପଣା :

ଆଜି ମହାପ୍ରଭୁଙ୍କ ଅଧରପଣା

ପୁରୀ: ୦୭/୦୭/୨୦୨୫: (ମମତା ମହାପାତ୍ର ): ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା। ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ। ମହାପ୍ରଭୁଙ୍କ ଅଧର ସ୍ପର୍ଶ କରୁଥିବାରୁ ଏହି ପଣାକୁ ଭକ୍ତମାନେ ମଧ୍ୟ ପ୍ରସାଦ ଭାବେ ପାଇଥାଆନ୍ତି I ରଥାରୂଢ଼ ଶ୍ରୀବିଗ୍ରମାନଙ୍କ ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପଣା ଭର୍ତ୍ତି ହେଉଥିବାରୁ ଏହାକୁ ଅଧରପଣା କୁହାଯାଏ ବୋଲି ଗବେଷକମାନେ ମତ ଦିଅନ୍ତି। ପ୍ରତିରଥରେ ତିନିଟି କରି ୯ଟି ହାଣ୍ଡି ଭୋଗ ହୁଏ। ପାଳିଆ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥାଆନ୍ତି। ମହାପ୍ରଭୁଙ୍କ ଅଧର ସ୍ପର୍ଶ ପଣା ହାଣ୍ଡି ଭୋଗ ହେବା ପରେ ଭଙ୍ଗାଯିବାର ପରମ୍ପରା ଅନନ୍ୟ। ଜନଶ୍ରୁତି ଅନୁଯାୟୀ ରଥ ଉପରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ଅଧର ପଣା ଭୋଗ ହୋଇ ରଥର ପାର୍ଶ୍ବ ଦେବଦେବୀ ଓ ଅନ୍ୟ ଚଣ୍ଡୀ ଚାମୁଣ୍ଡାଙ୍କ ପାଇଁ ଅଧର ହାଣ୍ଡି ଭଙ୍ଗା ଯାଇଥାଏ। ଡ. ସୁରେନ୍ଦ୍ର ମିଶ୍ରଙ୍କ ମତାନୁଯାୟୀ ଅଶରୀରୀ ତଥା ପତିତମାନଙ୍କ ଉଦ୍ଧାର ଉଦ୍ଦେଶ୍ୟରେ ଏହି ଅଧର ହାଣ୍ଡି ଭଙ୍ଗା ପରମ୍ପରା ପ୍ରଚଳିତ। ସେମାନଙ୍କ ପାଇଁ ସମର୍ପଣର ପ୍ରଥା ନାହିଁ। ତେଣୁ ପଣା ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଏ। ଯଦିଓ ବହୁ ଭକ୍ତ ମହାପ୍ରଭୁଙ୍କ ଅଧର ଛୁଇଁଥିବା ଏହି ପଣାକୁ ପ୍ରସାଦ ରୂପେ ପାଇଥାଆନ୍ତି, କିନ୍ତୁ ଅନେକ ସେବକ ତଥା ସ୍ଥାନୀୟ ଜନସାଧାରଣ ଅଧର ପଣା ସେବନ କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *