ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ। ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି ।
ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ 1 3 ଏମ୍ ଏସ ବ୍ୟବସ୍ଥା ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଇସ୍ପାତ, ଆଲୁମିନିୟମ ଓ ଅନ୍ୟ ଧାତବ ଶିଳ୍ପ କ୍ଷେତ୍ରରେ ବିଶ୍ବର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର ହେବାର ଦକ୍ଷତା ଓଡିଶାର ରହିଛି । ରାଜ୍ୟର ଶିଳ୍ପ ଅନୁକୂଳ ପଦକ୍ଷେପ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରିଛି । ଖଣି ଓ ଧାତବ ଶିଳ୍ପ କ୍ଷେତ୍ରରେ ରାଜ୍ୟର ବିପୁଳ ସମ୍ଭାବନାକୁ ବାସ୍ତବ ରୂପ ଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ଖଣି କ୍ଷେତ୍ରରେ ସଂସ୍କାରକୁ ରାଜ୍ୟ ସରକାର ସବୁବେଳେ ସମର୍ଥନ ଦେଇଆସିଛନ୍ତି ଏବଂ ଏହାଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।
ଏହି ଦୁଇଟି ଖଣିକୁ ଓଏମସିକୁ ଆବଣ୍ଟନ କରିବା ଏବଂ ଅଳ୍ପ ସମୟ ମଧ୍ୟରେ ବିଭିନ୍ନ ମଞ୍ଜୁରୀ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ଓଏମସି ମଧ୍ୟ ଏହି ଖଣି ଦୁଇଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ତ୍ବରିତ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ଓଏମସିକୁ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ଯେ ଓଡିଶା ଖଣିଜ ସଂପଦରେ ସମୃଦ୍ଧ । ତେଣୁ କେନ୍ଦ୍ର ଓ ରାଜ୍ୟ ପରସ୍ପର ମଧ୍ୟରେ ସହଯୋଗ ରଖି କାମ କଲେ ଉଭୟ ରାଜ୍ୟ ଓ ଦେଶର ଅର୍ଥନୀତି ସମୃଦ୍ଧ ହେବ । ଏହି ଦୁଇଟି ନୂଆ ଖଣିରୁ ରାଜ୍ୟ ସରକାର ବାର୍ଷିକ ୪ ରୁ ୫ ହଜାର କୋଟି ଟଙ୍କା ରାଜସ୍ବ ଭାବରେ ପାଇବେ ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ଯୋଶୀ କରିଥିଲେ । ଏହାସହିତ ଲୁହାପଥର ବଜାରରେ ଦେଖା ଦେଇଥିବା ଅଭାବ ଦୂର କରିବାରେ ମଧ୍ୟ ସହାୟକ ହେବ ବୋଲି ଶ୍ରୀ ଯୋଶୀ କହିଥିଲେ । ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ସହଯୋଗ ଦେଶର ଅର୍ଥନୀତିରେ ସମୃଦ୍ଧିର ଏକ ନୂଆ ଯୁଗ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ ।
