ପଶ୍ଚିମବଙ୍ଗ ଓ ଆସାମ ସମେତ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଉପରେ ଆଲୋଚନା ଲାଗି ଆଜି ଦିଲ୍ଲୀରେ ନିର୍ବାଚନ ଆୟାଗଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ନିର୍ବାଚନ ଆୟୋଗର ବୈଠକରେ ଆଗାମୀ ବିଧାନସଭା ନିର୍ବାଚନର ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବା ନେଇ ଚର୍ଚ୍ଚା ହେବ । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବ୍ୟତୀତ ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଚଳିତ ବର୍ଷ ମେ’-ଜୁନରେ ବିଧାନସଭା ନିର୍ବାଚନ ହେବ ।
ନିର୍ବାଚନର କମିଶନର ଉପନିର୍ବାଚନ କମିଶନର ଓ ପ୍ରଭାରୀ ସୁଦୀପ ଜୈନ ପ୍ରସ୍ତୁତି ସଂପର୍କରେ ଅବଗତ ହେବା ଲାଗି ଶୁକ୍ରବାର କୋଲକାତା ଗସ୍ତ କରିବେ । ନିଜର ଗସ୍ତ କାଳରେ ସୁଦୀପ ଜୈନ ପ୍ରସ୍ତୁତିକୁ ନେଇ ଜିଲ୍ଲାପାଳ ଓ ପୋଲିସ ଅଧୀକ୍ଷକଙ୍କ ସହିତ ବୈଠକରେ ଆଲୋଚନା କରିବେ । ଏହା ପୂର୍ବରୁ ନିର୍ବାଚନ ଆୟୋଗ ଏକ ବୟାନରେ କହିଥିଲେ ଯେ, କେନ୍ଦ୍ରୀୟ ପୋଲି ବଳର ୧୨ଟି କଂପାନୀକୁ ପଶ୍ଚିମବଙ୍ଗ ପଠାଯିବ । ଆୟୋଗ କହିଥିଲେ ଯେ, ସମସ୍ତ ରାଜ୍ୟ ଅଥିବା କେନ୍ଦ୍ର ଶାସିତ ରାଜ୍ୟରେ ନିର୍ବାଚନ ଲାଗି କେନ୍ଦ୍ରୀୟ ପୋଲିସ ବଳକୁ ମୁତୟନ କରାଯିବ ।
କରୋନା ସଂକଟ ସମୟରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ନିର୍ବାଚନ ହେବାକୁ ଯାଉଛି । ମହାମାରୀର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ରାଜ୍ୟଗୁଡ଼ିକରେ ମତଦାନ କେନ୍ଦ୍ର ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ କରାଇଥିଲେ । ସାମାଜିକ ଦୂରତାକୁ ପାଳନ କରି ମତଦାନ କେନ୍ଦ୍ରଗୁଡ଼ିକର ସଂଖ୍ୟା ବଢ଼ାଯାଇଥିଲା ।
