ଆଜି ଶ୍ରୀଜିଉଙ୍କ ଗଜଉଦ୍ଧାରଣ ବେଶ । ପାରମ୍ପାରିକ ବିଧି ଅନୁସାରେ ମାଘ ମାସ ପୂର୍ଣ୍ଣିମା ତିଥିରେ ଶ୍ରମନ୍ଦିରରେ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ଗଜଉଦ୍ଧାରଣ ବେଶ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି । ଏହି ଗଜଉଦ୍ଧାରଣ ବେଶ ଦ୍ୱିପ୍ରହର ଧୂପ ପରେ ହୋଇ ସଂଧ୍ୟାରେ ସାହାଣ ମେଲା ହେବା ଯାଏଁ ହୋଇଥାଏ । ମହାପ୍ରଭୁଙ୍କ ଗଜଉଦ୍ଧରଣ ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥାଏ ।
ଗଜଉଦ୍ଧାରଣ ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୁପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀଜଗନ୍ନାଥ ଗରୁଡ଼ ଉପରେ ପଦ୍ମାସନ ଭଙ୍ଗୀରେ ବସିଥିବାର ପ୍ରଦର୍ଶିତ ହୋଇଥାଏ । ଏହି ଗଜଉଦ୍ଧାରଣ ବେଶ ସମୟରେ ଶ୍ରୀଜଗନ୍ନାଥ ଶୋଲ ଓ ଜରି ନିର୍ମିତ ଶଂଖ, ଚକ୍ର, ଗଦା ଓ ପଦ୍ମରେ ଶୋଭା ପାଆନ୍ତି । ବଳଭଦ୍ରଙ୍କ ହସ୍ତରେ ଅନୁରୁପ ଭାବେ ଶଂଖ, ଚକ୍ର ଓ ହଳ, ମୁଷଳ ଶୋଭାପାଏ । ସୁଭଦ୍ରା ଦ୍ୱିଭୁଜା ଓ ଦୁଇ ପଦଯୁକ୍ତା ହୋଇ ଶେଭାପାଇଥାଆନ୍ତି ।
ପୌରାଣିକ ତଥ୍ୟ ଅନୁଯାୟୀ ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କରିଥିଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବା ପାଇଁ ବିକଳରେ ମହାପ୍ରଭୁଙ୍କୁ ଆକୁଳ ନିବେଦନ କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱୟଂ ନାରାୟଣ ଉଭା ହେବା ସହ ଚକ୍ରପେଶୀ କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ । ସେହି ପୌରାଣିକ ରୀତିରେ ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ ।


