ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ରେଫର କରିଥିଲେ ଡାକ୍ତର । କିନ୍ତୁ 108 ଆମ୍ବୁଲାନ୍ସ ରୋଗୀକୁ ଡାକ୍ତରଖାନା ନେବା ବଦଳରେ ବିପରୀତ ଦିଗରେ ନିଆଯାଉଥିବା ଅଭିଯୋଗ ହୋଇଛି । ଆମ୍ବୁଲାନ୍ସରୁ ଡେଇଁ ପଡିଲେ ରୋଗୀଙ୍କ ମା । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ବିଳା ଅଞ୍ଚଳର ଗୀତାରାଣୀ ବାରିକଙ୍କ ପୁଅ ଗଛରୁ ଖସିପଡିଥିଲେ । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରିଥିଲେ । ରୋଗୀଙ୍କ ମା ଓ ବାପା 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା । 108 ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ କଟକ ଅଭିମୁଖେ ଯିବା ବଦଳରେ ବାଲେଶ୍ୱର ଅଭିମୁଖେ ଯାଇଥିଲା । ରୋଗୀଙ୍କ ବାପା ଓ ମା ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବା ସତ୍ତ୍ୱେ କୌଣସି ଉତ୍ତର ପାଇନଥିଲେ । ପ୍ରତିବାଦ ସତ୍ତ୍ୱେ ଆମ୍ବୁଲାନ୍ସକୁ ରଖିନଥିଲେ ଡ୍ରାଇଭର । ଶେଷରେ ଲୋକଙ୍କୁ ଦେଖି ଆମ୍ବୁଲାନ୍ସରୁ ଡେଇଁ ପଡିଲେ ରୋଗୀଙ୍କ ମା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ପିଛା କରି ଚରମ୍ପା ସ୍ଥିତ କେନାଲ ଛକ ନିକଟରେ ଅଟକାଇଥିଲେ । ଆମ୍ବୁଲାନ୍ସକୁ ଅଟକ ରଖି କର୍ମଚାରୀଙ୍କୁ ପୋଲିସର ଜିମା ଦେଇଥିଲେ ସ୍ଥାନୀୟ ଲୋକେ । ତେବେ ଘଟଣା ପରେ ଭଦ୍ରକ ଟାଉନ ପୋଲିସ 3 ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଛି ।


