ମହରାଷ୍ଟ୍ର ଓ ଗୁଜରାଟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଏହି ୨ଟି ରାଜ୍ୟରେ କରୋନା ନିୟନ୍ତ୍ରଣ ବାହାରେ ଥିବାରୁ କିଛି ସ୍ଥାନରେ ଲକ୍ଡାଉନ ଓ କିଛି ସ୍ଥାନରେ ରାତ୍ରିକାଳୀନ କର୍ଫ୍ୟୁ ଲଗାଯାଇଛି । ଏବେ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ତାମିଲନାଡୁ । ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ମାର୍ଚ୍ଚ ୩୧ ଯାଏଁ ଲକଡାଉନ ଜାରି ରହିବ । ରାଜ୍ୟ ସରକାର ଆଦେଶ ଜାରି କରିବା ସହିତ ଜିଲ୍ଲା ପ୍ରଶାସନକୁ କରୋନା ଗାଇଡଲାଇନ ପାଳନ କରିବାକୁ ଦାୟିତ୍ୱ ଦେଇଛି । ଆସନ୍ତା ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପରିସ୍ଥିତିରେ ପଡ଼ି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ତାମିଲନାଡୁ ସରକାର ସମସ୍ତ ପ୍ରକାର ସତର୍କମୂଳକ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ ମାମଲାରେ ଅଚାନକ ବୃଦ୍ଧି ଦେଖାଯିବା ପରେ ସରକାର ଲକ୍ଡାଉନ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅନୁସାରେ ଶନିବାର ଠାରୁ ରବିବାର ଯାଏଁ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ର ୫୨୧ ନୂଆ କେସ ଆସିଛି । ରାଜ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଥିବା ବେଳେ ମହାରାଷ୍ଟ୍ର, ଗୁଜରାଟ ଓ ତାମିଲନାଡୁରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଚିନ୍ତା ବଢ଼ିଛି ।
