ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇଛନ୍ତି । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ସଚିନ ପଡ଼ିଆରେ ବ୍ୟାଟିଂ କରୁଥିବା ବେଳେ ପ୍ରଶଂସକମାନେ ବହୁତ ଉତ୍ସାହିତ ଦେଖାଯାଇଛନ୍ତି । ଦୀର୍ଘ ଦିନ ପରେ ସଚିନ ସବୁଜ ଘାସ ଉପରେ ବ୍ୟାଟିଂ ଓ ଫିଲ୍ଡିଂର ଦୃଶ୍ୟକୁ ଯେଉଁମାନେ ଦେଖିଛନ୍ତି, ସେମାନେ ବହୁତ ଖୁସି ଅନୁଭବ କରିଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରସ୍ଥିତ ବୀର ନାରାୟଣ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶର ପୂର୍ବତନ ଖେଳାଳିଙ୍କ ମଧ୍ୟରେ ଚାଲିଥିବା ମ୍ୟାଚରେ ସଚିନଙ୍କୁ କ୍ରିକେଟ ଖେଳୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି ।
ରୋଡ ସେଫଟି ୱାର୍ଲଡ ସିରିଜ ଟି-୨୦ ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶ ଲିଜେଣ୍ଡସ୍ ବିପକ୍ଷରେ ଖେଳିବା ଲାଗି ପଡ଼ିଆକୁ ଓହ୍ଲାଇଥିବା ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଏଥିରେ ମାଷ୍ଟର ବ୍ଲାଷ୍ଟର ନିଜର ୧୦ ନମ୍ବର ଜର୍ସି ପିନ୍ଧି ଫିଲ୍ଡିଂ କରୁଛନ୍ତି । ସଚିନଙ୍କ ବ୍ୟତୀତ ଭାରତୀୟ କ୍ରିକେଟର ପୂର୍ବତନ ଓପନର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହେୱାଗ ମଧ୍ୟ ପଡ଼ିଆରେ ଦେଖାଯାଇଥିଲେ । ସଚିନ ୨୬ଟି ବଲ ଖେଳି ୩୩ ରନ୍ ସଂଗ୍ରହ କରିଥିଲେ । ଏଥିରେ ୫ଟି ଚୌକା ମଧ୍ୟ ସାମିଲ ଥିଲା । କ୍ରିକେଟ ଖେଳ ଯାହା ହେଉ ପଛେ ସଚିନଙ୍କୁ ଦେଖି ଦର୍ଶକ ଖୁସି ହୋଇଯାଇଥିଲେ । କାରଣ ସଚିନଙ୍କ ନାଁରେ ପ୍ଲାକାର୍ଡ ଧରି ଦର୍ଶକମାନେ ଉତ୍ସାହ ପାଳନ କରୁଥିଲେ ।
