ଭାରତୀୟ ଜନତା ପାର୍ଟି ଆସାମ ବିଧାନସଭା ନିର୍ବାଚନ ଲାଗି ୭୦ ଜଣିଆ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ବିଜେପିର ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସଂପାଦକ ଅରୁଣ ସିଂହ କହିଛନ୍ତି ଏଜିପି ଓ ୟୁପିପିଏଲ ସହି ମେଣ୍ଟ ହୋଇଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଓ ନିର୍ବାଚନ କମିଟିର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ନିର୍ବାଚନ କମିଟି ଗୁରୁବାର ବୈଠକ କରିଥିଲା ।
ଅରୁଣ ସିଂହ କହିଛନ୍ତି ଯେ, ମାଜୁଲି ଆସନରୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ନିର୍ବାଚନ ଲଢ଼ିବେ । ଆସାମରେ ବିଜେପିର ଟାଣୁଆ ନେତା ହେମନ୍ତ ବିଶ୍ୱ ସର୍ମାଙ୍କୁ ଜାଲୁକବାରୀ ଆସନରୁ ଟିକେଟ ଟିକେଟ ଦିଆଯାଇଛି । ଉଭୟ ନେତା ପୂର୍ବରୁ ଏହି ୨ଟି ଆସନରୁ ନିର୍ବାଚନ ଜିତିଥିଲେ ।
ସେହିଭଳି ପଚାର ଖୁଶୀରୁ ରଂଜିତ ଦାସଙ୍କୁ ଟିକେଟ ଦିଆଯାଇଛି । ବରସୋଲାରୁ ଗଣେଶ ଲିମ୍ବୁ, ସୋତିଆରୁ ପଦ୍ମା ହରିକା, ଖୁନ୍ତାଇରୁ ମୃଣାଳ ସୌକିୟା, ମରିୟାନୀରୁ ରମଣୀ ତାନ୍ତି, ମହାମାରାରୁ ଜୁଗେନ ମୋହନ ଓ ଲକ୍ଷ୍ମୀପୁରରୁ ନାବ ଡେକାକୁ ନିର୍ବାଚନ ପଡ଼ିଆରେ ଅବତରଣ କରିଛି ବିଜେପି ।
ଅରୁଣ ସିଂହ କହିଛନ୍ତି ଯେ, ଆସାମ ବିଧାନସଭା ମୋଟ ୧୨୬ଟି ଆସନକୁ ନେଇ ଗଠିତ ହୋଇଛି । ଏଥିରେ ୯୨ଟି ଆସନରେ ବିଜେପି ପ୍ରାର୍ଥୀ ଓହ୍ଲାଇବ । ଏଜିପିକୁ ୨୬ ଓ ୟୁପିପିଏଲ ୮ଟି ଆସନରେ ନିର୍ବାଚନ ଲଢ଼ିବେ । ଏବେ ୯୨ରୁ ୭୦ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି । ଟିକେଟ ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୧ ଜଣ ଏସଟି ଓ ୪ ଜଣ ଏସ୍ସି ଅଛନ୍ତି । ଦଳ ଏଥର ୧୧ ଜଣ ବିଧାୟକଙ୍କୁ ଟିକେଟ ଦେଇନାହିଁ ।
