ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ପରେ ଜୀବନ ସଂଘର୍ଷର ସହିତ ବିତୁଛି । ମାତ୍ର କିଛି ମାସ ହେଲା ଦେଶରେ କରୋନାର ସ୍ଥିତି ସୁଧୁରିଛି । କିନ୍ତୁ ଗତ ବର୍ଷ ମାର୍ଚ୍ଚ ୨୨ ତାରିଖ ଠାରୁ ଜନତା କର୍ଫ୍ୟୁ ଲାଗୁ ହୋଇଯିବା ପରେ ଦେଶବାସୀଙ୍କ ଜୀବନ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଲକ୍ଡାଉନ୍, ସଟ୍ଡାଉନ୍, ରାତ୍ରୀକାଳୀନ କର୍ଫ୍ୟୁ ସାଧାରଣ ଜନତାଙ୍କର ଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା । ଏଥିରେ ଅଧିକ ପ୍ରଭାବିତ ହୋଇଥିଲେ ରୋଗୀ, ଗର୍ଭବତୀ ମହିଳା ଓ ଗରିବ ଲୋକେ ।
ଲକଡାଉନ ସମୟରେ ଦିଲ୍ଲୀରେ ପିସିଆର ଭ୍ୟାନ୍ରେ ୯ ଜଣ ମହିଳା ଶିଶୁ ଜନ୍ମ ଦେଇଥିଲେ । ସେମାନଙ୍କୁ ଦିଲ୍ଲୀ କମିଶନର ସମ୍ମାନିତ କରିବେ । ସ୍ଥାନୀୟ କମିଶନରେଟ ପୋଲିସର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମହିଳାମାନେ ସମ୍ମାନିତ ହେବେ । ଦିଲ୍ଲୀ ପୋଲିସ କହିଛି ଯେ, ୨୦୨୦ରେ କୋଭିଡ ଲକ୍ଡାଉନ ସମୟରେ ୯୯୭ ଜଣ ଗର୍ଭବତୀ ମହିଳାଙ୍କୁ ପିସିଆର ଭ୍ୟାନ ଜରିଆରେ ହସ୍ପିଟାଲ ନିଆଯାଇଥିଲା । ସେଥିରୁ ୯ ଜଣ ପିସିଆର ଭ୍ୟାନ୍ରେ ପିଲା ଜନ୍ମ କରିଥିଲେ । ଲକ୍ଡାଉନ ସମୟରେ ସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯିବା ଫଳରେ ରୋଗୀଙ୍କୁ କେବଳ ସରକାର ଓ ଘରୋଇ ଆମ୍ବୁଲାନ୍ସ ଉପରେ ଭରସା କରିବାକୁ ପଡୁଥିଲା । ସେହିପରି ଦିଲ୍ଲୀରେ ପୋଲିସ ପିସିଆର ଭ୍ୟାନ ମଧ୍ୟ ଗର୍ଭବତୀଙ୍କୁ ହସ୍ପିଟାଲ ନେବା କାମରେ ନିୟୋଜିତ ହୋଇଥିଲା ।
