ଆଜି ଇଣ୍ଡିଆନ ସୁପର ଲିଗର ଫାଇନାଲ ମ୍ୟାଚରେ ମୁମ୍ବାଇ ସିଟି ଏଫସି ଏବଂ ଏଟିକେ ମୋହନ ବାଗାନ ଏଫସି ମଧ୍ୟରେ ମୁକାବିଲା ହେବ । ଟୁର୍ନାମେଣ୍ଟର ସର୍ବଶ୍ରେଷ୍ଠ ବୁଲାଯାଉଥିବା ଏହି ଦୁଇଟି ଟିମ ଆଜି ଟାଇଟେଲ ପାଇଁ ଲଢେଇ କରିବେ । ଉଭୟ ଦଳ ଲିଗ ପର୍ଯ୍ୟାୟରେ ୧୨ ଟି ମ୍ୟାଚ ଜିତିବା ସହ ୪୦ ପଏଣ୍ଟ ହାସଲ କରିଥିଲେ । ତେବେ ଲିଗ ପର୍ଯ୍ୟାୟରେ ମୁମ୍ବାଇ ସିଟି ଏଫସି ଦୁଇ ଥର ଏଟିକେ ମୋହନ ବାଗାନ ଏଫସିକୁ ହରାଇଥିବାରୁ ଏହି ମ୍ୟାଚରେ ମୁମ୍ବାଇ ପଲ୍ଲା ଟିକେ ଭାରି ରହିବ । ଉଭୟ ଦଳର ପ୍ରଦର୍ଶନ ଏବଂ ଖେଳାଳିଙ୍କୁ ଦେଖିଲେ ମ୍ୟାଚ ୫୦-୫୦ ରେ ବରାବର ଅଛି ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି । ଅନ୍ୟ ପକ୍ଷରେ ପ୍ରଥମ ଥର ପାଇଁ ଆଇଏସଏଲ ଫାଇନାଲରେ ପହଂଚିଥିବା ମୁମ୍ବାଇ ସିଟି ଏଫସି ଏଥର ଚାମ୍ପିଅନ ହେବ ବୋଲି କୋଚ ସେରଗିଓ ଲୋବେରା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ଫାଇନାଲ ମ୍ୟାଚ ଗୋଆର ଫାଟୋର୍ଡ଼ା ଷ୍ଟାଡିଅମରେ ଖେଳାଯିବ ।
