ପ୍ରଥମଥରପାଇଁ ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ବ୍ରହ୍ମପୁରର ମା ବୁଢ଼ୀ ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି। ଯାତ୍ରା ପରିଚାଳନାକାରୀ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ଏବଂ ପ୍ରଶାସନ ମଧ୍ୟରେ ଆୟୋଜନ ତାରିଖ ନେଇ ଟଣାଓଟରା ପରେ ଚଳିତ ବର୍ଷ ମା’ଙ୍କ ଆଗମନକୁ ନେଇ ପ୍ରଥମେ ଦ୍ୱନ୍ଦ ଉପୁଜି ଥିଲା । ଫଳରେ ଗତକାଲି ବିଳମ୍ବିତ ରାତିରେ ହେବାକୁ ଥିବା ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ବାତିଲ ହୋଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାତ୍ରା ଆୟୋଜନ ପାଇଁ କେବଳ ସାତ ଦିନ ପାଇଁ ଅନୁମତି ଦିଆଯାଉଥିବା ବେଳେ 21 ଦିନରୁ କମ୍ ହେଲେ ଯାତ୍ରା କରାଯାଇ ପାରିବ ନାହିଁ ବୋଲି ଦେଶୀବେହେରା ଦୁର୍ଗାପ୍ରସାଦ କହିଥିଲେ ।କାରଣ ପୁରା 21 ଦିନର ମା ବୁଢୀ ଠାକୁରାଣୀଙ୍କ ରୀତିନୀତି ରହିଛି । 21 ଦିନରୁ କମ୍ ଦିନ ମା ବୁଢ଼ୀ ଠାକୁରାଣୀ ଯାତ୍ରା ସମ୍ଭବ ନୁହେଁ ବୋଲି ପରିଚାଳନା କମିଟି ଜଣାଇଥିଲେ।ଏ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଏମ୍ସିରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଏମ୍ସି କମିଶନର ଓ ଉପଜିଲ୍ଳାପାଳଙ୍କ ସମେତ ପରିଚାଳକ ଦୁର୍ଗାପ୍ରସାଦଙ୍କ ମଧ୍ୟରେ ବୈଠକ ହୋଇଥିଲା । ତେବେ ଯାତ୍ରା ଆୟୋଜନ ତାରିଖକୁ ନେଇ ସହମତି ପ୍ରକାଶ ପାଇ ପାରିନଥିଲା । କୋଭିଡ଼ କଟକଣାରେ ଯାତ୍ରା ଆୟୋଜନ କରାଯିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହାପରେ ମାଙ୍କ ଯୋଗ ନିୟମ ପ୍ରକାରେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ନେଇ ନିଷ୍ପତ୍ତି ହୋଇଥିଲା ।ଦେଶୀବେହେରା ଦୁର୍ଗାପ୍ରସାଦ ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ ସମ୍ପର୍କରେ ସକାଳେ ଡେଙ୍ଗୁରା କରିଥିଲେ । ତେବେ ବିଳମ୍ବିତ ରାତି ସମୟରେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଥିଲା।ପ୍ରଶାସନ ର କୋଭିଡ କଟକଣା, ଦିନ ଧାର୍ଯ୍ୟ ଏସବୁ ସମସ୍ୟା ତେଣୁ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସ୍ଥଗିତ ରହିଛି । ପ୍ରଶାସନର ଏହି ନିଷ୍ପତ୍ତିକୁ ଜନସାଧାରଣ ମଧ୍ୟ ନାପସନ୍ଦ କରିଛନ୍ତି । ଏମିତିକି ଶହଶହ ବର୍ଷର ପରମ୍ପରା ଭାଙ୍ଗିଯିବ ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମନରେ ମଧ୍ୟ ବେଶ ଅସନ୍ତୋଷ ଦେଖିବାକୁ ମିଳିଛି।
