ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ତିନି ଦିନିଆ ଗସ୍ତରେ ରାଷ୍ଟ୍ରପତିଙ୍କ ଅନେକ କାର୍ଯ୍ୟକ୍ରମ ରହିଥିବା ବେଳେ ଝାରସୁଗୁଡାର ଆଇଜିଏଚ୍ ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବା ପ୍ରମୁଖ କାର୍ଯ୍ୟ ରହିଛି । ତେବେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ବ୍ଲୁ ବୁକ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯିବ । ଏଥିପାଇଁ ହେଲିପ୍ୟାଡ଼ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଭିତରେ ଓ ବାହାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତସୂଚୀ ପ୍ରଶାସନର ହସ୍ତଗତ ହୋଇନଥିଲେ ମଧ୍ୟ ଗସ୍ତକୁ ଦୃଷ୍ଟିରେ ରଖି ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆସନ୍ତା କାଲି ସଂଧ୍ୟା ୬ ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ମହାମହୀମ ରାଷ୍ଟ୍ରପତି ଏହାପରେ ରାଜଭବନରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୨୧ ତାରିଖ ଦିନ ସକାଳେ ରାଷ୍ଟ୍ରପତିଙ୍କ ଝାରସୁଗୁଡା ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ୨୨ ଦିନ ରାଷ୍ଟ୍ରପତିଙ୍କ ପୁରୀ ଓ କୋଣାର୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।୨୦୧୮ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଆସିଥିବାବେଳେ ଏହା ତାଙ୍କର ଦ୍ୱିତୀୟ ଗସ୍ତ । ରାଷ୍ଟ୍ରପତିଙ୍କ ପୁରୀ ଓ କୋଣାର୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।ରାଷ୍ଟ୍ରପତି ବାୟୁସେନାର ହେଲିକପ୍ଟର ଯୋଗେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ତାଙ୍କ କ୍ୟାରକେଡ୍ ଚକ୍ରତୀର୍ଥ,ଭିଆଇପି ରୋଡ ଓ ବଡଦାଣ୍ଡ ଦେଇ ଶ୍ରୀମନ୍ଦିର ନିକଟକୁ ଯିବ ।ସେଠାରୁ ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ପୁରୀରୁ ଫେରିବା ପରେ ରାଷ୍ଟ୍ରପତି କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତ ଓ ସୁରକ୍ଷା ପାଇଁ ପୁରୀ ଓ କୋଣାର୍କରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପୁରୀ ଏସ ପି ସୂଚନା ଦେଇଛନ୍ତି ।
