ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ । ଟେଷ୍ଟ ସିରିଜକୁ ଭାରତ ୩-୧ରେ ଜିତିଥିବା ବେଳେ ଟି-୨୦ ସିରିଜକୁ ୩-୨ ରେ ଜିତିଛି ଭାରତ । ଉଭୟ ସିରିଜ ଜିତିବା ପରେ ଏବେ ଏକଦିବସୀୟ ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ । ଟି-୨୦ ସିରିଜ ପରି ଏକଦିବସୀୟ ସିରିଜରେ ତିନି ଜଣ ନୂଆ ମୁହଁକୁ ଦଳରେ ସାମିଲ କରାଯାଇଛି । ଟି-୨୦ ଦଳରେ ଥିବା ଅକ୍ସର ପଟେଲ, ଦୀପକ ଚହର, ଇଶାନ କିଶନ,ରାହୁଲ ତେୱାତୀୟା ଆଦି ଖେଳାଳି ଭାରତୀୟ ଏକଦିବସୀୟ ଦଳରୁ ବାଦ ପଡିଥିବା ବେଳେ ତାଙ୍କ ସ୍ଥାନରେ ଶୁଭମାନ ଗିଲ, କୁଲଦୀପ ଯାଦବ, କୃର୍ଣ୍ଣାଲ ପାଣ୍ଡ୍ୟା ଆଦି ଖେଳାଳି ଦଳରେ ସାମିଲ ହୋଇଛନ୍ତି । ଟି-୨୦ ସିରିଜରେ ଭଲ ପ୍ରର୍ଦଶନ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଏକଦିବସୀୟ ଦଳରେ ସ୍ଥାନ ମିଳିଛି । ଡୋମେଷ୍ଟିକ ସିରିଜ, ଆଇପିଏଲ ଏବଂ ଇଂଲଣ୍ଡ ବିପକ୍ଷ ସିରିଜରେ ସୂର୍ଯ୍ୟ କୁମାର ଯାଦବ ଯେଉଁଭଳି ପ୍ରର୍ଦଶନ କରିଛନ୍ତି ପ୍ରଥମ ଏକଦିବସୀୟ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବାର ସମ୍ଭାବାନା ରହିଛି । ସେହିପରି ପୂର୍ବରୁ ଭାରତ ପାଇଁ ଟି-୨୦ ଖେଳି ସାରିଥିବା କୃର୍ଣ୍ଣାଲ ପାଣ୍ଡ୍ୟା ଏହି ସିରିଜରେ ଭାରତ ପକ୍ଷରୁ ଏକଦିବସୀୟ ମ୍ୟାଚ ଖେଳିପାରନ୍ତି ।


