କରୋନା ବୃଦ୍ଧି ଘଟୁଥିବା ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିର ସପ୍ତାହରେ ଥରେ ଭକ୍ତଙ୍କ ପାଇଁ ବନ୍ଦ ରହିବା ସହ ସେଠାରେ ସାନିଟାଇଜେସନ କରାଯିବ । ଗତକାଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ପରିମଳ କାର୍ଯ୍ୟ ପାଇଁ ସପ୍ତାହରେ ଅତି କମରେ ଥରେ ଭକ୍ତଙ୍କ ପାଇଁ ମନ୍ଦିର ବନ୍ଦ ରହିବ। ଦୋଳପର୍ବ ପରେ ପରବର୍ତ୍ତୀ ନିର୍ଦ୍ଦେଶ ଦିଆଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି । ତେବେ କେଉଁ ଦିନ ବନ୍ଦ ରହିବ ସେନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ ବୋଲି ସେ କହିଛନ୍ତି । ଛତିଶା ନିଯୋଗ ବୈଠକରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ କ୍ରିଷାନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ଏସପି କନୱର ବିଶାଲ ସିଂଙ୍କ ଉପସ୍ଥିତିରେ ଏକ ଆଲୋଚନା କରିଛନ୍ତି । ଏହି ସମୟରେ ମନ୍ଦିର ପରିସରରେ କୋଭିଡ ପ୍ରୋଟୋକଲଗୁଡ଼ିକୁ କଡାକଡି ଲାଗୁ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।
