
ଭାରତରେ କରୋନା ଗମ୍ଭୀର ସ୍ଥିତିରେ ପହଂଚିଛି । ଏଭଳି ସଂକଟ ସମୟରେ ଭାରତକୁ ଆମେରିକା ଅଧିକ ସହାୟତା ପ୍ରଦାନ କରିବ । ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ ଏହା କହିଛନ୍ତି । ଭାରତରେ କରୋନା ଭାଇରସ ମହାମାରୀ ଚିନ୍ତା ବଢ଼ାଉଛି । ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଭାରତର ମଙ୍ଗଳ କରିବାକୁ ଆମେରିକାର ମଧ୍ୟ ବଡ଼ ଦାୟିତ୍ୱ ବୋଲି ସେ କହିଛନ୍ତି ।
ଜୋ ବାଇଡେନ୍ଙ୍କ ନେତୃତ୍ୱରେ ଆମେରିକା ପ୍ରଶାସନ ଭାରତକୁ ସହାୟତା ପ୍ରଦାନ କରିବା ଲାଗି କାମ କରୁଛି । କରୋନାର ପ୍ରାରମ୍ଭିକ ସମୟରେ ଆମେରିକା ଯେତେବେଳେ ସଂକଟ ସ୍ଥିତି ଦେଇ ଗତି କରୁଥିଲା, ଭାରତରୁ ଶର୍ଯ୍ୟା ଓ ଅନ୍ୟ ମେଡିକାଲ ସାମଗ୍ରୀ ଆସିଥିଲା । ଆଜି ଭାରତ ଯେତେବେଳେ ଅସୁବିଧାରେ ପଡ଼ିଛି, ଆମକୁ ସାହାଯ୍ୟ କରିବାର ଅଛି ।
ଏକ କାର୍ଯ୍ୟକ୍ରମରେ ଯୋଗଦେଇ କମଳା ହ୍ୟାରିସ କହିଛନ୍ତି ଯେ, ଭାରତର ବନ୍ଧୁ ରାଷ୍ଟ୍ର ଭାବେ ତଥା ଏସିଆନ କ୍ୱାଡର ସଦସ୍ୟ ଭାବେ ଆମକୁ ସହଯୋଗର ହାତ ବଢ଼ାଇବାର ଅଛି । ମୋର ବିଶ୍ୱାସ ଯେ, ଯଦି ଆମେ ସହଯୋଗର ହାତ ବଢ଼ାଇ ଚାଲିବା ତଥା ମିଳିମିଶି କାମ କରିବା ଆମେ ସଂକଟ ସମୟ ଟାଳି ପାରିବା । ଆମେରିକାରୁ ୨୦ ହଜାର ରେମଡେସିଭିର, ୧୫୦୦ ଅକ୍ସିଜେନ ସିଲିଣ୍ଡର ଏବଂ ୧୦ ଲକ୍ଷ ରାପିଡ ଡାଇଗ୍ନୋଷ୍ଟିକ ଟେଷ୍ଟ କିଟ ଭାରତକୁ ମିଳିସାରିଛି । ସୂଚନାଯୋଗ୍ୟ ଭାରତରେ ଶୁକ୍ରବାର ୪ ଲକ୍ଷ ୧୪ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ।