
ଚାଷୀଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଡିଏପି ସାର ଉପରେ ଚାଷୀଙ୍କୁ ୧୪୦ ପ୍ରତିଶତ ସବସିଡ଼ି ମିଳିବ । ଏହା ଦ୍ୱାରା ଦେଶର ଲକ୍ଷ ଲକ୍ଷ ଚାଷୀ ଉପକୃତ ହେବେ । ପିଏମଓ କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ଦେଶର ଚାଷୀମାନେ ୟୁରିଆ ପରେ ଡି-ଆମୋନିୟମ ଫସଫେଟ୍ (ଡିଏପି)କୁ ଦ୍ୱିତୀୟ ସର୍ବାଧିକ ବ୍ୟବହାର କରିଥାନ୍ତି । ସବସିଡି ମିଳିବା ପରେ ଡିଏପି ସାର ବସ୍ତା ୧୨୦୦ ଟଙ୍କାରେ ପାଇପାରିବେ । ଅନ୍ତର୍ଜାତୀୟ ବଜାରରେ ଡିଏପିର ଦର ବଢ଼ିଥିବା ପରେ ବି ଚାଷୀମାନେ ବସ୍ତା (ବ୍ୟାଗ୍) ପିଛା ଏହାକୁ ୧୨୦୦ ଟଙ୍କାରେ କିଣିବେ । ସୂଚନାଯୋଗ୍ୟ, ଗତବର୍ଷ ଡିଏପି ସାର ବସ୍ତା ୧୭୦୦ ଟଙ୍କା ଥିଲା । ଏଥରି ସରକାର ୧୪୦ ପ୍ରତିଶତ ସବସିଡି ଦେବା ପରେ ଚାଷୀମାନଙ୍କୁ ଏବେ ବସ୍ତା ପିଛା ୫୦୦ ଟଙ୍କା କମ ଦେବାକୁ ପଡ଼ିବ ।