
ସାମୁଦ୍ରିକ ଝଡ଼ ତାଉତେ ଦୁର୍ବଳ ହୋଇସାରିଛି । କିନ୍ତୁ ଜାତୀୟ ରାଜଧାନୀରେ ଏହାର ପ୍ରଭାବ କମ ହୋଇନାହିଁ । ଦିଲ୍ଲୀ ଓ ଏନ୍ସିଆରରେ ୨ ଦିନ ହେବ ଲଗାତାର ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଦିଲ୍ଲୀରେ ମେ’ ମାସରେ ଗୋଟିଏ ଦିନରେ ଏପର୍ଯ୍ୟନ୍ତ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବୁଧବାର ଏଠାରେ ୬୦ମିମି ବର୍ଷା ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବର୍ଷା ରହି ରହି ହେଉଛି ।
ବୁଧବାର ସର୍ବାଧିକ ତାପମାତ୍ରା ୨୩.୮ ଡିଗ୍ରୀ ରେକର୍ଡ କରାଯାଇଛି । ମେ’ ମାସରେ ଏହା ସାଧାରଣ ଠାରୁ ୧୬ ଡିଗ୍ରୀ କମ । ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇଥିଲା । ଏହା ୨୧.୪ ଡିଗ୍ରୀକୁ ଖସିଥିଲା, ଯାହାକି ସାଧାରଣ ତାପମାତ୍ରା ଠାରୁ ୫ଡିଗ୍ରୀ କମ । ଦୀର୍ଘ ୭୦ ବର୍ଷ ପରେ ଦିଲ୍ଲୀର ତାପମାତ୍ରା ଏତେ ତଳକୁ ଖସିଥିଲା ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର ମଧ୍ୟ ସାମାନ୍ୟ ବର୍ଷା ହେବ । ଏହି କାରଣରୁ ଦିଲ୍ଲୀର ତାପମାତ୍ରା ଆଜି ପାଖାପାଖି ୩୦ ଡିଗ୍ରୀ ରହିପାରେ । ୧୯୫୧ ପରେ ଏପର୍ଯ୍ୟନ୍ତ ମେ’ ମାସରେ ସବୁଠାରୁ ଅଧିକ ଥଣ୍ଡା ଦିନ । ୧୯୫୧ ପୂର୍ବର ତଥ୍ୟ ପୁଣେ ଆଇଏମ୍ଡି ପାଖରେ ରହିଛି । ଏହା ପୂର୍ବରୁ ୧୯୮୨ ମେ’ ୧୩ରେ ୨୪.୮ ଡିଗ୍ରୀ ରେକର୍ଡ ହୋଇଥିଲା ।