
ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେଊଛି । ଯାହା ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୩ରେ ଅବପାତର ରୂପ ନେବ ।
୨୪ରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ । ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାଶ୍ୱର୍ରେ ଅଧିକ ପବନ ଓ ବର୍ଷା ହୁଏ । ବାତ୍ୟାର ବାମପଟେ ଅର୍ଥାତ ଓଡ଼ିଶା ଉପକୂଳ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ ।
ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଅଧିକ ପ୍ରଭାବିତ ହେବ । ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଳ ସ୍ଥାନ ନିରୂପଣ ହୋଇନାହିଁ ବୋଲି ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ବାତ୍ୟା ପ୍ରସ୍ତୁତି ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇ କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆଇଏମଡି, ଏନଡିଏମଏ ସହ ବୈଠକ ହୋଇଛି । ଆଇଏମଡି ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।
୨୩ରେ ତାହା ଡିପ୍ରେସନ ଓ ୨୪ରେ ବାତ୍ୟାରେ ପରିଣତ ହେବ । ପ୍ରାକ ଆକଳନ ଅନୁସାରେ ଉତ୍ତର ଓଡ଼ିଶା-ସୁନ୍ଦରବନ ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ତେବେ ତାହାର ଗତି, ବେଗ ଓ ତୀବ୍ରତା କେତେ ରହିବ ସେ ନେଇ ଆଇଏମଡି କହିନି । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।