
ରାଜ୍ୟବ୍ୟାପୀ କରୋନାଜନିତ ଲକଡାଉନ କଟକଣା ଜାରି ରହିଥିବାରୁ ଗଞ୍ଜେଇ ମାଫିଆମାନେ ଭିନ୍ନ ଭିନ୍ନ ପ୍ରୟାସରେ ଗଞ୍ଜେଇ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ପଇଡ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେଉଥିବାବେଳେ ପୋଲିସ ହାତରେ ଧରାପଡିଛି।
କୋରାପୁଟ ଜିଲ୍ଲା ପଡୁଆ ଅଞ୍ଚଳରୁ ଉତ୍ତରପ୍ରଦେଶ ଚାଲାଣ ବେଳେ ନନ୍ଦପୁର ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।
କୋରାପୁଟ ଏସପିଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ଏସ.ଡ଼ି.ପିଓଙ୍କ ନେତୃତ୍ଵରେ ନନ୍ଦପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ନନ୍ଦପୁର ଥାନା ଅଧିକାରୀ ବିଭିନ୍ନସ୍ଥାନରେ ପରିବହନ ହେଉଥିବା ଯାନବାହାନଗୁଡିକୁ ଯାଞ୍ଚ କରିଥିଲେ ।
ଏହି ସମୟରେ ହିକିମପୁଟ ଅଞ୍ଚଳରୁ ଆସୁଥିବା ଟ୍ରକକୁ ପୋଲିସ ଯାଞ୍ଚ କରିଥିଲା ଓ ପଇଡ ବୋଝେଇ ହୋଇଥିବା ଦେଖି ଛାଡିଦେବା ସମୟରେ ଗାଡି ନମ୍ବରରୁ ପୋଲିସକୁ ସନ୍ଦେହ ହୋଇଥିଲା । ସେହିସମୟରେ ଗାଡିରେ ଥିବା ତିନି ଅଭିଯୁକ୍ତ ଖସିଯିବାକୁ ଉଦ୍ୟତ ହେବାରୁ ପୋଲିସ ତାଙ୍କୁ କାବୁ କରିଥିଲା ।
ପଇଡ ବାହାର କରି ଯାଞ୍ଚ କରାଯିବାରୁ ୨୨ଟି ବସ୍ତାରେ ପ୍ରାୟ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ପୋଲିସ ଜବତ କରିଛି । ଯାହାର ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କାର ହେବ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମଧ୍ୟ କୋରାପୁଟ ଲମତାପୁଟଠାରେ ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ସମୟରେ ପୋଲିସ ଚଢାଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।