
ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ ଶୁକ୍ରବାର କରୋନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ବୋଲି ପୁଅ ଚନ୍ଦନ ଦାସ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ସ୍ବର୍ଗତ ଦାସ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱରର ଏକ ଘରୋଇ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ତାଙ୍କର ବର୍ତ୍ତମାନର ପୁସ୍ତକ ‘ପଲଟିକାଲ ହିଷ୍ଟ୍ରି ଅଫ ମଡର୍ଣ୍ଣ ଓଡିଶା’ ସହିତ ୧୬ ଟି ପୁସ୍ତକ ଲେଖିଛନ୍ତି। ସେ ‘ଯେ ଦେଶ ଯାଇ ସେ ଫଳଖାଇ’ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ।
ତାଙ୍କ ଭଳି ଜଣେ ସୁଦକ୍ଷ ସାମ୍ବାଦିକଙ୍କ ଦେହାନ୍ତରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ବହୁ ବରିଷ୍ଠ ସାମ୍ବାଦିକମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ସ୍ମୃତିଚାରଣ କରିଛନ୍ତି । ସ୍ବର୍ଗତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ।

