
କୋଭିଡ୍ରେ ଆକ୍ରାନ୍ତ ହୋଇ ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ ସାହୁଙ୍କର ଆଜି ପରଲୋକ ହୋଇଛି । ଗତ କିଛି ଦିନ ହେଲା ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ।
ଆଜିସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସା ଚାଲୁଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ ମାସରେ ତାଙ୍କୁ ହାଇଦ୍ରାବାଦସ୍ଥିତ କ୍ରିଷ୍ଣା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେସ୍କୁ ସ୍ଥାନାନ୍ତର କରାଯାଇଥିଲା ।
ପେଶାରେ ଚାର୍ଟାଡ୍ ଆକାଉଣ୍ଟାଣ୍ଟ ଥିବା ଡକ୍ଟର ସାହୁ ପରବର୍ତ୍ତୀ ସମୟରେ ଶିକ୍ଷା ଉଦ୍ୟୋଗୀ ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ସାଇ ଇଣ୍ଟର ନ୍ୟାସନାଲ ସ୍କୁଲ ।